ଆର୍ଯ୍ୟବୀରଙ୍କ ବ୍ୟାଟରେ ଆଫଗାନିସ୍ତାନ ଧ୍ୱଂସ!
ଗୋଟିଏ ପଟେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀରଙ୍କ ବ୍ୟାଟର ଗର୍ଜନ, ଅନ୍ୟପଟେ ଅନ୍ୟପଟେ ଭାରତୀୟ ବୋଲରଙ୍କ ଘାତକ ବୋଲିା ଆଫଗାନିସ୍ତାନକୁ ଚିତପତାଙ୍ଗ କରି ଫାଇନାଲରେ ପହଂଚିଛି ଟିମ ଇଣ୍ଡିଆ । କିନ୍ତୁ ଏବେ ହେବ ଅସଲ ପରୀକ୍ଷା । କାରଣ ଫାଇନାଲରେ ସାମ୍ନାରେ ରହିଛି ପାକିସ୍ତାନ । ଯେଉଁ ଦଳ ଲିଗ ପର୍ଯ୍ୟାୟରେ ଭାରତକୁ ହରାଇଥିଲା, ସେହି ଦଳ ସହ ଏବେ ଟାଇଟଲ ପାଇଁ ଲଢିବ ଭାରତ । ନଭେମ୍ବର ୧୨ ତାରିଖରେ ଓମାନର ଅଲ୍ ଆମେରାଟ୍ରେ ଖେଳାଯାଇଥିଲା ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଅଣ୍ଡର-୧୯ ଏସିଆ କପ୍ର ଦ୍ୱିତୀୟ ସେମିଫାଇନାଲ। ଏହି ମ୍ୟାଚ୍ରେ ଟସ୍ ଜିତି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା।ଆଫଗାନିସ୍ତାନ ଦଳ ୫୦ ଓଭରରେ ୮ଟି ୱିକେଟ୍ ହରାଇ ୨୨୭ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଶାହ ଫୈସଲ ରହିମି ୫୧ ରନ୍ର ଉପଯୋଗୀ ଇନିଂସ ଖେଳିଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ଈଶାନ ସୁଦ ସବୁଠାରୁ ପ୍ରଭାବଶାଳୀ ରହିଥିଲେ। ସେ ୯ ଓଭରରେ ୪୩ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ଆର୍ଯ୍ୟନ ସଫାନି ମଧ୍ୟ ୨ଟି ୱିକେଟ୍ ନେଇ ଆଫଗାନିସ୍ତାନର ରନ୍ ଗତିକୁ ରୋକିଥିଲେ।
ଏବେ ଭାରତ ଆଗରେ ଥିଲା ୨୨୮ ରନ୍ର ଲକ୍ଷ୍ୟ। ଏହି ଲକ୍ଷ୍ୟକୁ ପିଛା କରିବାକୁ ଆସିଥିବା ଭାରତୀୟ ଓପନର ଆର୍ଯ୍ୟବୀର ସେହୱାଗ ଏବଂ ଅଧିନାୟକ ଲକ୍ଷ୍ୟ ରାୟଚନ୍ଦାନୀ ଆରମ୍ଭରୁ ଆଫଗାନ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ।ପ୍ରଥମ ୱିକେଟ୍ ପାଇଁ ଉଭୟ ୧୧୭ ରନ୍ ଯୋଡ଼ିଥିଲେ। ଆର୍ଯ୍ୟବୀର ୫୧ ରନ୍ କରି ଆଉଟ୍ ହୋଇଥିବା ବେଳେ ଅଧିନାୟକ ଲକ୍ଷ୍ୟଙ୍କ ବ୍ୟାଟ୍ରୁ ଆସିଥିଲା ଦମ୍ଦାର ୯୩ ରନ୍। ସେ ମାତ୍ର ୯୦ଟି ବଲ୍ରେ ଏହି ରନ୍ ସଂଗ୍ରହ କରିଥିଲେ।
ଏହାପରେ ଭାରତୀୟ ଦଳ ଆଉ ପଛକୁ ଚାହିଁନଥିଲା। ୩୬.୫ ଓଭରରେ ମାତ୍ର ୨ଟି ୱିକେଟ୍ ହରାଇ ୨୩୦ ରନ୍ କରି ଭାରତ ୮ ୱିକେଟ୍ରେ ମ୍ୟାଚ୍ ଜିତି ନେଇଥିଲା। ଏହି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ହୋଇଥିଲେ ଅଧିନାୟକ ଲକ୍ଷ୍ୟ ରାୟଚନ୍ଦାନୀ।
ଆର୍ଯ୍ୟବୀରଙ୍କ ପ୍ରଦର୍ଶନକୁ ନେଇ ମଧ୍ୟ ଚର୍ଚ୍ଚା।
ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ଏହି ଟୁର୍ଣ୍ଣାମେଣ୍ଟରେ ନିଜ ବ୍ୟାଟିଂରେ ଲଗାତାର ପ୍ରଭାବ ପକାଇଛନ୍ତି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଚାରିଟି ଇନିଂସରେ ସେ ୩୦୩ ରନ୍ କରିଥିଲେ। ତାଙ୍କ ବ୍ୟାଟିଂ ହାର ୧୦୧ ରହିଛି। ଏହା ଭାରତୀୟ ଦଳ ପାଇଁ ଫାଇନାଲ ପୂର୍ବରୁ ଏକ ବଡ଼ ସକାରାତ୍ମକ ଖବର। 
କିନ୍ତୁ ଫାଇନାଲରେ ରହିଛି ପ୍ରତିଶୋଧର ସୁଯୋଗ।
ଭାରତ ଆଫଗାନିସ୍ତାନକୁ ହରାଇଥିବା ବେଳେ ପାକିସ୍ତାନ ଅନ୍ୟ ସେମିଫାଇନାଲରେ ବାଂଲାଦେଶକୁ ୯ ୱିକେଟ୍ରେ ପରାସ୍ତ କରି ଫାଇନାଲକୁ ଆସିଛି। ବାଂଲାଦେଶ ମାତ୍ର ୧୩୮ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ପାକିସ୍ତାନର ରିଜୱାନୁଲ୍ଲା ୫ଟି ୱିକେଟ୍ ନେଇଥିବା ବେଳେ ହୟାମ ଖାନ୍ ୬୯ ରନ୍ କରି ଦଳକୁ ସହଜ ବିଜୟ ଦେଇଥିଲେ।
ଏଠାରେ ସବୁଠାରୁ ବଡ଼ କଥା ହେଉଛି, ଗ୍ରୁପ୍ ପର୍ଯ୍ୟାୟରେ ନଭେମ୍ବର ୮ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚ୍ରେ ପାକିସ୍ତାନ ୩ ୱିକେଟ୍ରେ ଭାରତକୁ ହରାଇଥିଲା। ତେଣୁ ଏବେ ଫାଇନାଲରେ ଭାରତ ପାଖରେ ସେହି ପରାଜୟର ପ୍ରତିଶୋଧ ନେବାର ସୁଯୋଗ ରହିଛି
ଅନ୍ୟପଟେ ପାକିସ୍ତାନ ଦଳରେ ଉସମାନ ଖାନ୍, ହୟାମ ଖାନ୍ ଏବଂ ରିଜୱାନୁଲ୍ଲାଙ୍କ ଭଳି ଖେଳାଳି ରହିଛନ୍ତି। ତେଣୁ ଭାରତୀୟ ବୋଲରଙ୍କୁ ଏହି ଖେଳାଳିଙ୍କ ବିପକ୍ଷରେ ସତର୍କ ରହିବାକୁ ପଡ଼ିବ।ଏବେ ସମସ୍ତଙ୍କ ନଜର ନଭେମ୍ବର ୧୪ ତାରିଖ ଉପରେ। ଓମାନରେ ଭାରତୀୟ ସମୟ ସକାଳ ୧୦ଟା ୩୦ ମିନିଟ୍ରେ ଆରମ୍ଭ ହେବ ଏହି ହାଇଭୋଲଟେଜ୍ ଫାଇନାଲ। ଗୋଟିଏ ପଟେ ଆର୍ଯ୍ୟବୀର ସେହୱାଗ, ଅନ୍ୟପଟେ ପାକିସ୍ତାନର ଘାତକ ବୋଲିଂ। ଏହି ଲଢ଼େଇରେ କିଏ ହେବ ବାଜିଗର? 
ଭାରତୀୟ ଯୁବ ଦଳ ପାଖରେ ଏବେ ଏସିଆ କପ୍ ଟ୍ରଫି ଜିତିବାର ସୁଯୋଗ। ତେବେ ଆପଣ କ'ଣ ଭାବୁଛନ୍ତି, ଆର୍ଯ୍ୟବୀରଙ୍କ ବ୍ୟାଟ୍ ପୁଣି ଥରେ ଗର୍ଜିବ ଏବଂ ଭାରତ ପାକିସ୍ତାନକୁ ହରାଇ ଚାମ୍ପିୟନ୍ ହେବ?




