ମହିଳା କ୍ରିକେଟରଙ୍କ ମ୍ୟାଚ ଫି' ବୃଦ୍ଧି କଲା ବିସିସିଆଇ

ମହିଳା କ୍ରିକେଟରଙ୍କ ମ୍ୟାଚ ଫି' ବୃଦ୍ଧି କଲା ବିସିସିଆଇ
Samaya Live News Picture
Published On

ନୂଆଦିଲ୍ଲୀ : ବୃଦ୍ଧି ହେଲା ମହିଳା କ୍ରିକେଟରଙ୍କ ମ୍ୟାଚ ଫି'। ଏକ ଥରକେ ଦୁଇଗୁଣା ବଢ଼ିଲା ଫି'। ୨୦ ହଜାର ଟଙ୍କାରୁ ୫୦ ହଜାର ଟଙ୍କାକୁ ମ୍ୟାଚ ଫି'ବୃଦ୍ଧି କଲା ବିସିସିଆଇ । ଘରୋଇ ମ୍ୟାଚରେ ମହିଳା କ୍ରିକେଟର ପ୍ରତି ଦିନ ୨୦ ହଜାର ବଦଳରେ ୫୦ ହଜାର ଟଙ୍କା ପାଇବେ ବୋଲି ଘୋଷଣା କରିଛି ବିସିସିଆଇ । 

ଭାରତରେ ମହିଳା କ୍ରିକେଟର ପ୍ରାଧାନ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ନିକଟରେ ଭାରତୀୟ ମହିଳା କ୍ରିକେଟ ଦଳ ୨୦୨୫ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା ଭାରତ । ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ ଆପେକ୍ସ କାଉନସିଲ୍ ବୈଠକରେ ଘରୋଇ ମହିଳା କ୍ରିକେଟରଙ୍କ ମ୍ୟାଚ୍ ଫି’ରେ ୨.୫ ଗୁଣା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। 

ନୂତନ ନିୟମ ଅନୁଯାୟୀ, ବରିଷ୍ଠ ମହିଳା କ୍ରିକେଟରଙ୍କ ଦୈନିକ ଫି’ରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ପୂର୍ବରୁ ପ୍ଲେଇଂ-୧୧ରେ ଥିବା ଖେଳାଳିଙ୍କୁ ଦିନକୁ ୨୦,୦୦୦ ଟଙ୍କା ମିଳୁଥିବା ବେଳେ ଏବେ ତାହା ୫୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ରିଜର୍ଭ ଖେଳାଳିଙ୍କ ଫି’ ୧୦,୦୦୦ରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି ପାଇଛି।

ଜୁନିୟର ଖେଳାଳିଙ୍କ ପାଇଁ ଦୈନିକ ଫି’ ୧୦,୦୦୦ରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ରିଜର୍ଭ ଖେଳାଳିମାନେ ଏବେ ୫,୦୦୦ ବଦଳରେ ୧୨,୫୦୦ ଟଙ୍କା ପାଇବେ। ସେହିପରି ଟି-୨୦ ମ୍ୟାଚ୍ ପାଇଁ ସିନିୟର ପ୍ଲେଇଂ-୧୧ ଖେଳାଳିଙ୍କୁ ୨୫,୦୦୦ ଟଙ୍କା ଏବଂ ରିଜର୍ଭ ଖେଳାଳିଙ୍କୁ ୧୨,୫୦୦ ଟଙ୍କା ମିଳିବ।

ସେହିପରି ଅମ୍ପାୟାର ଏବଂ ମ୍ୟାଚ ରେଫରୀଙ୍କ ସହିତ ମ୍ୟାଚ ଅଧିକାରୀଙ୍କର ମଧ୍ୟ ଫିସ ବୃଦ୍ଧି ହୋଇଛି । ଘରୋଇ ଟୁର୍ଣ୍ଣାମେଣ୍ଟରେ ଲିଗ୍ ମ୍ୟାଚ୍ ପାଇଁ ଅମ୍ପାୟାର ଏବଂ ମ୍ୟାଚ୍ ରେଫରୀମାନଙ୍କୁ ପ୍ରତିଦିନ ୪୦,୦୦୦ ଦରମା ଦିଆଯିବ । ନକଆଉଟ୍ ମ୍ୟାଚ୍ ପାଇଁ, ଦୈନିକ ଦରମା ୫୦,୦୦୦ ରୁ ୬୦,୦୦୦ ମଧ୍ୟରେ ହେବ । ରଣଜୀ ଟ୍ରଫି ଲିଗ୍ ମ୍ୟାଚରେ ଅମ୍ପାୟାରିଂ ପାଇଁ ପ୍ରତି ମ୍ୟାଚରେ ପ୍ରାୟ ୧.୬୦ ଲକ୍ଷ ପାଇବେ, ନକଆଉଟ୍ ମ୍ୟାଚ୍ରେ ଅମ୍ପାୟାରିଂ ପାଇଁ ପ୍ରତି ମ୍ୟାଚରେ ୨.୫ ଲକ୍ଷ ରୁ ୩ ଲକ୍ଷ ପାଇବେ ।

ବିସିସିଆଇର ନୂତନ ସଭାପତି ମିଥୁନ ମନହାସଙ୍କ ନେତୃତ୍ୱରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଜୟ ଶାହାଙ୍କ କାର୍ଯ୍ୟକାଳ ସମୟରେ ମହିଳା କ୍ରିକେଟରଙ୍କ ପାଇଁ ସମାନ ଦରମା ଭଳି ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଥିଲା। ଶେଷଥର ପାଇଁ ୨୦୨୧ରେ ମହିଳାଙ୍କ ମ୍ୟାଚ୍ ଫି’ରେ ସଂଶୋଧନ କରାଯାଇଥିଲା।

Tags: