ଟ୍ବେଣ୍ଟି-୨୦ ବିଶ୍ବକପ ଖେଳିବା ନେଇ ୨୧ ତାରିଖ ସୁଦ୍ଧା ନିଷ୍ପତ୍ତି ଜଣାଅ

ବିସିବି କହିଲା ଆଇସିସି

ଟ୍ବେଣ୍ଟି-୨୦ ବିଶ୍ବକପ ଖେଳିବା ନେଇ ୨୧ ତାରିଖ ସୁଦ୍ଧା ନିଷ୍ପତ୍ତି ଜଣାଅ
Samaya Live Desk Picture
Published On

ଦୁବାଇ: ଭାରତ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପରେ ବାଂଲାଦେଶ କ୍ରିକେଟ୍ ଦଳ ଅଂଶଗ୍ରହଣ କରିବ କି ନା’ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ। ଏହି ପ୍ରତିଯୋଗିତା ପାଇଁ ଭାରତ ଗସ୍ତ ନ କରିବାକୁ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଅଡ଼ି ବସିଥିବାବେଳେ ଏହା ସମ୍ଭବ ନୁହେଁ ବୋଲି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ସ୍ପଷ୍ଟ କରିଦେଇଛି। ଏସବୁ ମଧ୍ୟରେ ଆଇସିସି ପକ୍ଷରୁ ଏବେ ବଲଟିକୁ ବିସିବି କୋର୍ଟରେ ପକାଇ ଦିଆଯାଇଛି। ଆସନ୍ତା ୨୧ ତାରିଖ ସୁଦ୍ଧା ନିଜର ନିଷ୍ପତ୍ତି ଜଣାଇବାକୁ ବିସିବିକୁ କୁହାଯାଇଛି। ଏକ ରିପୋର୍ଟ ଅନୁସାରେ ବିଶ୍ବକପରେ ଅଂଶଗ୍ରହଣ ନିଷ୍ପତ୍ତି ନେବା ଲାଗି ଜାନୁଆରି ୨୧ ଶେଷ ତାରିଖ ବୋଲି ବିସିବିକୁ ଜଣାଇଛି ଆଇସିସି। ଧାର୍ଯ୍ୟ ତାରିଖ ଅତିକ୍ରମ ହେବାପରେ ଆଉ କୌଣସି ଅନୁରୋଧକୁ ଗ୍ରହଣ କରାଯିବ ନାହିଁ। ଏହା ପୂର୍ବରୁ ଗତ ଶନିବାର ଢାକାଠାରେ ଆଇସିସି ଅଧିକାରୀ ଓ ବିସିବି ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଭାରତରେ ନ ଖେଳିବାକୁ ବାଂଲାଦେଶ ନିଜର ନିଷ୍ପତ୍ତି ଜଣାଇଥିଲା। କିନ୍ତୁ ଏହା ସମ୍ଭବ ନୁହେଁ ବୋଲି ଆଇସିସି ସ୍ପଷ୍ଟ କରିଦେଇଥିଲା। ଏପରିକି ଗ୍ରୁପ-ବିରେ ଥିବା ଆୟର୍ଲାଣ୍ଡ ସହିତ ନିଜର ସ୍ଥାନ ପରିବର୍ତ୍ତନ କରିବାକୁ ବାଂଲାଦେଶ କରିଥିବା ଅନୁରୋଧକୁ ବି ଆଇସିସି ଖାରଜ କରିଦେଇଥିଲା। ଏଥିପାଇଁ ଆୟର୍ଲାଣ୍ଡ ମଧ୍ୟ ରାଜି ହୋଇନଥିଲା। ତେବେ ବିସିବିକୁ ଆଇସିସି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ଭାରତରେ ବାଂଲାଦେଶ ଖେଳାଳିଙ୍କ ପ୍ରତି କୌଣସି ବିପଦ ନାହିଁ।

 

Tags: