ଏସିଆନ ପାରା ଗେମ୍ସର ସ୍ୱର୍ଣ୍ଣ ବିଜେତା ନୀରଜ ଯାଦବଙ୍କ ନିଧନ

ଏସିଆନ ପାରା ଗେମ୍ସର ସ୍ୱର୍ଣ୍ଣ ବିଜେତା ନୀରଜ ଯାଦବଙ୍କ ନିଧନ
Samaya Live News Picture
Published On

ନୂଆଦିଲ୍ଲୀ : ଭାରତୀୟ କ୍ରୀଡ଼ା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏସିଆନ ପାରା ଗେମ୍ସରେ ଦେଶ ପାଇଁ ୩ଥର ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଯାଦବ ଆଉ ନାହାନ୍ତି । ତାଙ୍କ ମୃତଦେହ ଦିଲ୍ଲୀ ସ୍ଥିତ  ବାସ ଭବନରୁ ଉଦ୍ଧାର କରାଯାଇଛି । ସେ ବିଷ ପିଇ ଜୀବନ ହାରିଥିବା କୁହାଯାଉଛି । ବୁଧବାର ଦିଲ୍ଲୀର GTB ହସ୍ପିଟାଲରେ ନିରଜଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ପାରାଅଲିମ୍ପିକ୍ ଚାମ୍ପିଅନ୍ ସୁମିତ ଆଣ୍ଟିଲ୍ ଏବଂ ସାଥୀ ପାରା-ଆଥଲେଟ୍ ବିପିନ୍ କାସାନା ହସ୍ପିଟାଲରେ ଉପସ୍ଥିତ ଥିଲେ । 

ଭାରତୀୟ ପାରା ଆଥଲେଟିକ୍ସ ଟିମର ମୁଖ୍ୟ କୋଚ୍‌ ଏସ୍‌ ସତ୍ୟନାରାୟଣ ଏହି ଦୁଃଖଦ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ,ନୀରଜଙ୍କ ମୃତ୍ୟୁ ଖବର ଶୁଣି ମୁ ସ୍ତବ୍ଧ ହୋଇଯାଇଥିଲି । ପରପାର୍ଶ୍ଵିକ ପରିସ୍ଥିତିରୁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ତାଙ୍କ ଭଳି ଜଣେ ଆଥଲେଟ୍‌ ଏପରି ଚରମ ପଦକ୍ଷେପ ନେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । 

୪୨ ବର୍ଷୀୟ ନୀରଜ ଯାଦବ ଏଫ୫୫ ବର୍ଗରେ ୩ଥର ସଫଳତା ହାସଲ କରିଥିଲେ । ଚଳିତ ବର୍ଷ ଜାପାନରେ ଅନୁଷ୍ଠିତ ଏସିଆନ ପାରା ଗେମ୍ସରେ ସେ ଭାଗ ନେବାରୁ ବଞ୍ଚିତ ହେବାରୁ ମାନସିକ ଚାପରେ ରହିଥିଲେ । ଏସିଆନ ଗେମ୍ସ ପୂର୍ବରୁ ହୋଇଥିବା ଡୋପିଂ ଟେଷ୍ଟରେ ନୀରଜ ବିଫଳ ହେବାରୁ ଜାପାନ ଯାଇ ପାରି ନଥିଲେ। ସମ୍ଭବତଃ ଏହି ମାନସିକ ଚାପ ଯୋଗୁ ସେ ବିଷ ପିଇ ଦେଇଥିବା କୁହାଯାଉଛି। ଉତ୍ତର ପ୍ରଦେଶର ଗାଜିଆବାଦର ନୀରଜ ମାତ୍ର ୭ ବର୍ଷ ବୟସରୁ ପୋଲିଓ ଜନିତ ସମସ୍ୟାରେ ପଡ଼ି ମଧ୍ୟ ପ୍ରଥମେ ହ୍ୱିଲଚେୟାର ଟେନିସ ପ୍ରତି ମନ ବଳାଇଥିଲେ । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ପାରା ଆଥଲେଟିକ୍ସ ଆଡ଼କୁ ଯାଇଥିଲେ । ୨୦୧୮ ଏସିଆନ ପାରା ଗେମ୍ସର ଜାଭେଲିନରେ ନୀରଜ ସ୍ୱର୍ଣ୍ଣ ଜିତିଥିଲେ। ଏହାପରେ ୨୦୨୩ରେ ଜାଭେଲିନ ଓ ଡିସକସ୍‌ ଥ୍ରୋରେ ମଧ୍ୟ ତାଙ୍କୁ ସ୍ୱର୍ଣ୍ଣିମ ସଫଳତା ମିଳିଥିଲା।

 

Tags: