ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ୪୦ ଭାରତୀୟ ବଂଶୋଦ୍ଭବ

ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ୪୦ ଭାରତୀୟ ବଂଶୋଦ୍ଭବ
Samaya Live Desk Picture
Published On

ନୂଆଦିଲ୍ଲୀ: ଫେବ୍ରୁଆରି ୭ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ  ୪୦ ଜଣ ଭାରତୀୟ ବଂଶୋଦ୍ଭବ ଖେଳାଳି ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଭାରତ ଓ ଶ୍ରୀଲଙ୍କାରେ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଏଥର ୨୦ ଦଳ ଅଂଶଗ୍ରହଣ କରୁଛନ୍ତି। ମୋନାକ ପଟେଲ୍‌, ସୌରଭ ନେତ୍ରଭାଲକର, ଯଶପ୍ରୀତ୍‌ ସିଂହ, ଆର୍ଯ୍ୟନ ଦତ୍ତଙ୍କ ଭଳି ଭାରତୀୟ ନାମ ରହିଛି ଅନ୍ୟ ଦଳରେ। ୨୦ ଦଳରେ ମୋଟ ୪୦ ଭାରତୀୟ ବଂଶୋଦ୍ଭବ କ୍ରିକେଟର୍‌ ଅଛନ୍ତି।  ଏହି ସଂସ୍କରଣକୁ ପ୍ରବାସୀ ଭାରତୀୟଙ୍କ ବିଶ୍ବକପ୍‌ ବି କହିଲେ ଅତ୍ୟୁକ୍ତି ହେବ ନାହିଁ। ସର୍ବାଧିକ ୧୧ ଜଣ ବିଦେଶୀ ଭାରତୀୟ ରହିଛନ୍ତି କାନାଡ଼ା ଦଳରେ। ଦ୍ବିତୀୟ ସର୍ବାଧିକ ୯ ଜଣ ଅଛନ୍ତି ଆମେରିକା ଦଳରେ। ‌ସେହିଭଳି ୭ ଜଣ ଭାରତୀୟ ବଂଶୋଦ୍ଭବ ପ୍ରତିନିଧିତ୍ବ କରିବେ ସଂଯୁକ୍ତ ଆରବ୍‌ ଏମିରେଟ୍‌ରସ (ୟୁଏଇ)ର। ଗୁଜରାଟ ପାଇଁ ୧୯ ବର୍ଷରୁ କମ୍‌ ଦଳରେ ଖେଳିଥିବା ୩୨ ବର୍ଷୀୟ ମୋନାକ ପଟେଲ୍‌ ଭାରତରେ ସୁଯୋଗ ନପାଇବା ବିଶ୍ବାସରେ ପରିବାରକୁ ପିଛା କରି ଆମେରିକା ପଳାଇଥିଲେ। ଏବେ ସେ ଆମେରିକା ବିଶ୍ବକପ୍‌ ଦଳର ୱିକେଟରକ୍ଷକ ବ୍ୟାଟର୍‌ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ୨୦୧୯ ମସିହାରେ ଅନ୍ତର୍ଜାତୀୟ ପଦାର୍ପଣ ପରଠାରୁ ସେ ଆମେରିକାର ପ୍ରତିନିଧିତ୍ବ କରି ଆସୁଛନ୍ତି। ଇଟାଲି ପ୍ରଥମ ଥର ପଦାର୍ପଣ କରିବାକୁ ଯାଉଥିବାବେଳେ ଫଗୱାରା ଜନ୍ମିତ ଦ୍ରୁତ ବୋଲର ଯଶପ୍ରୀତ୍‌ ସିଂହ ଏହି ଦଳରେ ଅଛନ୍ତି। ଏକଦା ଆମେରିକାରେ ଉବେର ଚଳାଇ ଜୀବନ ନିର୍ବାହ କରୁଥିବା ଯଶପ୍ରୀତ୍‌ ଏବେ ବିଶ୍ବକପ୍‌ ସ୍ବପ୍ନ ପୂରଣ କରିବାକୁ ଯାଉଛନ୍ତି। 

ଗତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଖେଳିଥିବା ଆମେରିକା ଦଳର ବାମହାତୀ ସ୍ପିନର୍‌ ନେତ୍ରଭାଲକର ନିଜର ଦୁଇ ଆଦର୍ଶ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ୱିକେଟ୍‌ ବି ଦଖଲ କରିଥିଲେ। ସଫ୍ଟୱେର୍‌ ପ୍ରଫେସନାଲ୍‌ ନେତ୍ରଭାଲକରଙ୍କ ଭଳି ଅଧିକାଂଶ ଖେଳାଳି ମଧ୍ୟ ସୌଖୀନ କ୍ରିକେଟର୍‌। ପସନ୍ଦ ଓ ପେସାକୁ ଏମାନେ ସଫଳତାର ସୂତ୍ର କରିପାରିଛନ୍ତି। ୨୦୨୩ ବିଶ୍ବକପ୍‌ରେ ଖେଳିଥିବା ନେଦରଲାଣ୍ଡ୍‌ସ ଦଳର ଅଫସ୍ପିନର୍‌ ଆର୍ଯ୍ୟନ ଦତ୍ତ ବି ଆସିଛନ୍ତି। ସୁଯୋଗ ପାଇଲେ ପରିବାରକୁ ଦେଖିବାକୁ ଯିବି ବୋଲି ସେ କହିଛନ୍ତି।  

Tags: