୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ
By: Samaya Live Desk
ନୂଆଦିଲ୍ଲୀ: ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଯୁବ କ୍ୟାରିୟରର ସବୁଠାରୁ ବଡ଼ ପର୍ଯ୍ୟାୟ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲ୍ରେ ଏକ ନିର୍ଣ୍ଣାୟକ ଇନିଂସ ଖେଳିଛନ୍ତି। ହରାରେରେ ଅନୁଷ୍ଠିତ ଆଇସିସି ପୁରୁଷ ୧୯ ବର୍ଷରୁ କମ୍ ବିଶ୍ୱକପର ଫାଇନାଲରେ, ୧୪ ବର୍ଷୀୟ ବାମହାତୀ ବୈଭବ ମାତ୍ର ୮୦ ବଲ୍ରେ ୧୭୫ ରନ୍ କରି ଇଂଲଣ୍ଡ ଆକ୍ରମଣକୁ ଭାଙ୍ଗି ଦେଇଥିଲେ। ମ୍ୟାଚ୍ରେ ନିୟନ୍ତ୍ରଣ ହାସଲ କରିବା ସହ ଭାରତକୁ ଦୃଢ଼ ଭାବରେ ଉପରକୁ ଉଠାଇଥିଲେ। ଏହା ସୀମିତ ଓଭର ଆଇସିସି ଫାଇନାଲରେ ବରିଷ୍ଠ ପୁରୁଷ, ୧୯ ବର୍ଷରୁ କମ୍ ପୁରୁଷ, ବରିଷ୍ଠ ମହିଳା ଏବଂ ୧୯ ବର୍ଷରୁ କମ୍ ମହିଳା କ୍ରିକେଟରେ - ଯେକୌଣସି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା।
ସେ କେବଳ ୫୫ ବଲ୍ରେ ତାଙ୍କର ଶତକ ହାସଲ କରି ନଥିଲେ ବରଂ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଇତିହାସର ଦ୍ରୁତତମ ଶତକ ମଧ୍ୟରେ ସ୍ଥାନ ପାଇଲେ। ଏପରିକି ତାଙ୍କୁ ୧୦୦ ରୁ ୧୫୦ ରନ୍ରେ ପହଞ୍ଚିବା ପାଇଁ ମାତ୍ର ୧୬ଟି ବଲ ଖେଳିଥିଲେ। ସେ ୧୭୫ ରନର ଏକ ବଡ଼ ସ୍କୋରରେ ଆଉଟ ହୋଇଥିଲେ। ତାଙ୍କ ଇନିଂସରେ ୧୫ ଚୌକା ଏବଂ ୧୫ ଛକା ଥିଲା। ଏପରିକି ସୂର୍ଯ୍ୟବଂଶୀଙ୍କ ଏହି ସ୍କୋର ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା। ୨୦୧୨ ମସିହାର ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଉନ୍ମୁକ୍ତ ଚାନ୍ଦଙ୍କ ୧୩୦ ବଲ୍ରେ ୧୧୧ ରନ୍ ଏବଂ ୧୯୯୮ ମସିହାର ଟାଇଟଲ୍ ମୁକାବିଲାରେ ଅଷ୍ଟ୍ରେଲିଆ ପାଇଁ ପାକିସ୍ତାନ ବିପକ୍ଷରେ ବ୍ରେଟ୍ ୱିଲିୟମ୍ସଙ୍କ ୧୩୪ ବଲ୍ରେ ୧୦୮ ରନ୍କୁ ଏହା ପଛରେ ପକାଇ ଦେଇଥିଛି।
ଏହି ଇନିଂସ ଏବେ ଯୁବ ଦିନିକିଆ କ୍ରିକେଟରେ ଶୀର୍ଷ ୧୦ ସର୍ବାଧିକ ବ୍ୟକ୍ତିଗତ ସ୍କୋର ମଧ୍ୟରେ ସ୍ଥାନ ପାଇଛି। ସୂର୍ଯ୍ୟବଂଶୀ ଏହି ତାଲିକାରେ ସ୍ଥାନ ପାଇବାରେ ଅମ୍ବାତି ରାୟୁଡୁଙ୍କ ପରେ,କେବଳ ଦ୍ୱିତୀୟ ଭାରତୀୟ। ଅମ୍ବାତି ୨୦୦୨ରେ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୧୭୭ ରନ୍ କରିଥିଲେ। ପୁଣି ତାଙ୍କର ୫୫ ବଲ୍ ଶତକ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଇତିହାସରେ ଦ୍ୱିତୀୟ ଦ୍ରୁତତମ ଶତକ। ପ୍ରତିଯୋଗିତାରେ ପୂର୍ବରୁ ୱିଲ୍ ମାଲାଜଜୁକ୍ ୫୧ ବଲ୍ରେ ଶତକ ଅର୍ଜନ କରିଥିଲେ।
Tags:



