ଭାରତ ସହିତ ଖେଳିବାକୁ ମନା କରିଥିବାରୁ ପାକିସ୍ତାନକୁ ଧନ୍ୟବାଦ ଜଣାଇଲା ବାଂଲାଦେଶ

ଭାରତ ସହିତ ଖେଳିବାକୁ ମନା କରିଥିବାରୁ ପାକିସ୍ତାନକୁ ଧନ୍ୟବାଦ ଜଣାଇଲା ବାଂଲାଦେଶ
ଢ଼ାକା: ଭାରତ ବିପକ୍ଷରେ ୨୦୨୬ ଟି୨୦ ବିଶ୍ୱକପ୍ ପାଇଁ ବାଂଲାଦେଶ ଏବଂ ପାକିସ୍ତାନ ନୀରବରେ ହାତ ମିଳାଇଛନ୍ତି। ବାଂଲାଦେଶର କ୍ରୀଡା ପରାମର୍ଶଦାତା ଆସିଫ୍ ନଜରୁଲ୍ କଲମ୍ବୋରେ ଭାରତ ବିପକ୍ଷରେ ପାକିସ୍ତାନ ନ ଖେଳିବା ନିଷ୍ପତ୍ତିକୁ ସମର୍ଥନ କରିବା ସହ ବାଂଲାଦେଶ ପାଇଁ ପାକିସ୍ତାନର ମନୋଭାବ ପାଇଁ ଏକ ଫେସ୍‌ବୁକ୍‌ ପୋଷ୍ଟରେ ଇସଲାମାବାଦକୁ ଧନ୍ୟବାଦ ଦେଇଛନ୍ତି। ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରରେ ନଜରୁଲ୍ ହେଉଛନ୍ତି କ୍ରୀଡା ପରାମର୍ଶଦାତା। ପରାମର୍ଶଦାତା ବିଭାଗର ମନ୍ତ୍ରୀ ପରି କାର୍ଯ୍ୟ କରନ୍ତି। ସୁରକ୍ଷା ଜନିତ ସମସ୍ୟା ଯୋଗୁଁ ବାଂଲାଦେଶ ଭାରତୀୟ ମାଟିରେ ଖେଳିବାକୁ ମନା କରିବା ପରେ ଏହା ସ୍ଥାନରେ ସ୍କଟଲାଣ୍ଡକୁ ସୁଯୋଗ ଦିଆଯାଇଛି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଏକ ବିବୃତ୍ତିର ଗୋଟିଏ ଦିନ ପରେ ନଜରୁଲଙ୍କ ଧନ୍ୟବାଦ ଟିପ୍ପଣୀ ଆସିଛି। ସେ କହିଥିଲେ ‘ଆମେ ଟି୨୦ ବିଶ୍ୱକପ୍ ଉପରେ ଏକ ସ୍ପଷ୍ଟ ମତ ରଖିଛୁ ଯେ ଆମେ ଭାରତ ବିପକ୍ଷ ମ୍ୟାଚ୍ ଖେଳିବୁ ନାହିଁ। କାରଣ କ୍ରୀଡ଼ା କ୍ଷେତ୍ରରେ କୌଣସି ରାଜନୀତି ହେବା ଉଚିତ୍ ନୁହେଁ। ଆମେ ଏକ ବହୁତ ଆଲୋଚନା କରିବା ପରେ ଏଭଳି ପଦକ୍ଷେପ ନେଇଛୁ। ଆମକୁ ସମ୍ପୂର୍ଣ୍ଣ ଭାବରେ ବାଂଲାଦେଶ ସହିତ ଠିଆ ହେବା ଉଚିତ ଏବଂ ମୁଁ ଭାବୁଛି ଏହା ଏକ ଅତ୍ୟନ୍ତ ଉପଯୁକ୍ତ ନିଷ୍ପତ୍ତି। ଆମେ ବାଂଲାଦେଶ ସହିତ ଅଛୁ ବୋଲି ସେ କହିଛନ୍ତି।
Tags: