ଟ୍ବେଣ୍ଟି-୨୦ ବିଶ୍ବକପ୍: ନେଦରଲାଣ୍ଡ୍ସକୁ ୩ ୱିକେଟ୍ରେ ହରାଇଲା ପାକିସ୍ତାନ
By: Samaya Live Desk
କଲମ୍ବୋ : ଏକ ରୋମାଞ୍ଚକର ମ୍ୟାଚ୍ରୁ ଆରମ୍ଭ ହୋଇଛି ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍। କଲମ୍ବୋରେ ଖେଳାଯାଇଥିବା ମ୍ୟାଚ୍ରେ ନେଦରଲାଣ୍ଡ୍ସକୁ ୩ୱିକେଟ୍ରେ ହରାଇଛି ପାକିସ୍ତାନ। ଗୋଟିଏ ସମୟରେ ପାକିସ୍ତାନ ମ୍ୟାଚ୍ ଜିତିବାକୁ ସଂଘର୍ଷ କରୁଥିଲେ ହେଁ ୧୯ତମ ଓଭର ନିର୍ଣ୍ଣାୟକ ସାବ୍ୟସ୍ଥ ହୋଇଥିଲା। ଆଉ ତିନୋଟି ବଲ୍ ବାକିଥିବା ବେଳେ ପାକିସ୍ତାନ ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା।
ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡସ୍ ୧୯.୫ ଓଭରରେ ୧୪୭ ରନ କରି ଅଲଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ସ୍କଟ୍ ଏଡଓ୍ବାଡ୍ସ ୩୭ ରନ କରିଥିବାବେଳେ ବାସ୍ ଡି ଲିଡ୍ସ ୩୦, ମାଇକେଲ୍ ଲେଭିଟ୍ ୨୪ ଓ କଲିନ ଆକରମ୍ୟାନ୍ ୨୦ ରନ କରିଥିଲେ। ପାକିସ୍ତାନ ପକ୍ଷରୁ ସଲମାନ ମିର୍ଜା ୩ଟି ଓ୍ବିକେଟ୍ ନେଇଥିବାବେଳେ ଅବରାର ଅହମ୍ମଦ, ସଇମ ଆୟୁବ ଓ ମହମ୍ମଦ ନଓ୍ବାଜ୍ ୨ଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ। ୧୪୮ ରନ ପାକିସ୍ତାନ ପାଇଁ ଏକ ସହଜ ଲକ୍ଷ୍ୟ ମନେହେଉଥିଲା, ପାକିସ୍ତାନ ମଧ୍ୟ ଆରମ୍ଭରୁ ଦ୍ରୁତ ରନ ସଂଗ୍ରହ କରି ଏକ ସହଜ ବିଜୟ ଆଡ଼କୁ ଅଗ୍ରସର ହେଉଥିଲା। ଦଳ ପକ୍ଷରୁ ଦୁଇ ଓପନର ସାଇବିଜାଦା ଫରହାନ ଓ ସାଇମ୍ ଆୟୁବ ପ୍ରଥମ ଓ୍ବିକେଟ୍ରେ ୨୭ ରନର ଭାଗୀଦାର କରିଥିଲେ। ସାଇମ୍ ୨୪ ରନ କରି ଆଉଟ୍ ହେବା ପରେ ଫରହାନ ଓ ଅଧିନାୟକ ସଲମାନ ଆଗାଙ୍କ ମଧ୍ୟରେ ୨୬ ରନର ଆଉ ଏକ ଭାଗୀଦାର ହୋଇଥିଲା। ତେବେ ସଲମାନ ମାତ୍ର ୧୨ ରନ କରି ଆଉଟ୍ ହେବା ପରେ ଫରହାନ ଓ ବାବର ଆଜମଙ୍କ ମଧ୍ୟରେ ୪୫ ରନର ଏକ ବଡ଼ ଭାଗୀଦାର ହୋଇଥିଲା। ଫରହାନ ୪୭ ରନ କରି ଆଉଟ୍ ହେବା ସମୟରେ ଦଳର ସ୍କୋର ୩ ଓ୍ବକେଟ୍ ହରାଇ ୯୮ ରନ ଥିଲା। ଏହାପରେ ଦଳ ନିୟମିତ ବ୍ୟବଧାନରେ ଓ୍ବିକେଟ୍ ହରାଇ ଚାଲିଥିଲା ଓ ସ୍ଥିତି ଏପରି ହୋଇଥିଲା ଯେ ଦଳ ୧୧୪ ରନରେ ୭ଟି ଓ୍ବିକେଟ୍ ହରାଇ ଏକ ନିଶ୍ଚିତ ପରାଜୟ ଆଡକୁ ଗତି କରୁଥିଲା। ତେବେ ଶେଷ ଦୁଇ ଓଭରରେ ଫହିମ ଅସ୍ରଫ୍ ମାତ୍ର ୧୧ଟି ବଲରେ ୩ ଛକା ୨ଚୌକା ସହ ୨୯ ରନ କରି ଦଳ ପାଇଁ ବିଜୟ ଆଣିଦେଇଥିଲେ।
Tags:



