ଟି-୨୦ ବିଶ୍ୱକପ୍: ଅଷ୍ଟ୍ରେଲିଆ ଦଳରୁ ପ୍ୟାଟ୍ କମିନ୍ସ, ଷ୍ଟିଭ୍ ସ୍ମିଥ୍ ବାଦ୍‌ ପଡ଼ିଲେ

ଟି-୨୦ ବିଶ୍ୱକପ୍: ଅଷ୍ଟ୍ରେଲିଆ ଦଳରୁ ପ୍ୟାଟ୍ କମିନ୍ସ, ଷ୍ଟିଭ୍ ସ୍ମିଥ୍ ବାଦ୍‌ ପଡ଼ିଲେ
ମେଲବର୍ଣ୍ଣ: ୨୦୨୬ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାର ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ଅଷ୍ଟ୍ରେଲିଆକୁ ଏକ ଗୁରୁତ୍ୱପୂର୍ଣ୍ଣ ଝଟକା ଲାଗିଛି। ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଲଗାତାର ପିଠିରେ ଆଘାତ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି। ଏହି ସମସ୍ୟା ସାମ୍ପ୍ରତିକ ଆସେସ୍ ସିରିଜ୍ ସମୟରେ ମଧ୍ୟ କମିନ୍ସଙ୍କୁ ଅସୁବିଧାରେ ପକାଇଥିଲା। ଶେଷରେ ଅଷ୍ଟ୍ରେଲିଆକୁ ତାଙ୍କ ଉପଲବ୍ଧତା ଉପରେ ସତର୍କ ନିଷ୍ପତ୍ତି ନେବାକୁ ବାଧ୍ୟ କରିଥିଲା।
ଅଷ୍ଟ୍ରେଲିଆ ଜାନୁଆରୀ ୩୧ତାରିଖ ଶନିବାର ଟି-୨୦ ବିଶ୍ୱକପ୍ ପାଇଁ ସେମାନଙ୍କର ୧୫ ଜଣିଆ ଦଳ ଘୋଷଣା କରିଛି। ଯେଉଁଥିରେ ମିଚେଲ୍ ମାର୍ଶ ଦ୍ୱିତୀୟ ଟି-୨୦ ବିଶ୍ୱକପ୍ ଟାଇଟଲ୍ ଜିତିବା ଲକ୍ଷ୍ୟରେ ଏକ ଶକ୍ତିଶାଳୀ ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି। ତେବେ ଏହି ଦଳରୁ କେବଳ କମିନ୍ସ ବାଦ୍‌ ପଡ଼ିନାହାନ୍ତି ବରଂ ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଏବଂ ବିସ୍ଫୋରକ ଅଲରାଉଣ୍ଡର ମ୍ୟାଟ୍ ସର୍ଟଙ୍କୁ ମଧ୍ୟ ଶେଷ ୧୫ ଜଣିଆ ଦଳରୁ ବାଦ୍‌ ଦିଆଯାଇଛି। ଚୟନକର୍ତ୍ତାମାନେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ନମନୀୟତା ଏବଂ ବୋଲିଂ ଗଭୀରତା ପ୍ରତି ସନ୍ତୁଳନ ରଖିବାକୁ ଏହି ଦଳ ବାଛିଛନ୍ତି।
ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ ଦଳରେ ବହୁତ ବ୍ୟାଟିଂ ଶକ୍ତିକୁ ସ୍ଥାନ ଦିଆଯାଇଛି। ଟ୍ରାଭିସ୍ ହେଡ୍ ଏବଂ ମିଚେଲ୍ ମାର୍ଶ ଦଳ ପାଇଁ ଇନିଂସ ଓପନ କରିବାକୁ ପ୍ରସ୍ତୁତ, ତାଙ୍କ ପରେ ଜୋଶ୍ ଇଙ୍ଗଲିସ୍, କାମେରନ୍ ଗ୍ରୀନ୍, ଗ୍ଲେନ୍ ମ୍ୟାକ୍ସୱେଲ୍ ଏବଂ ଟିମ୍ ଡେଭିଡ୍ ଖେଳିବେ। ଦଳ ପାଖରେ ଅଭିଜ୍ଞ ସ୍ପିନର୍ ଆଡାମ ଜାମ୍ପାଙ୍କ ନେତୃତ୍ୱରେ ପ୍ରଚୁର ସ୍ପିନ୍ ବିକଳ୍ପ ରହିଛି। ଅଷ୍ଟ୍ରେଲିଆ ଅଲରାଉଣ୍ଡ ଦକ୍ଷତା ଉପରେ ମଧ୍ୟ ବହୁତ ଧ୍ୟାନ ଦେଇଛି। କାମେରନ୍ ଗ୍ରୀନ୍ ଏବଂ ମାର୍କସ୍ ଷ୍ଟୋଇନିସ୍ ଦ୍ରୁତ ବୋଲିଂ ୟୁନିଟ୍‌କୁ ସମ୍ଭାଳିବେ। ତେବେ ଏହି ବିଭାଗର ନେତୃତ୍ୱ ଜୋଶ୍ ହାଜେଲଉଡ୍ ଏବଂ ନାଥନ୍ ଏଲିସ୍ ନେବେ।
 
ଅଷ୍ଟ୍ରେଲିଆର ଟି-୨୦ ବିଶ୍ୱକପ୍ ଦଳ:
ମିଚେଲ୍ ମାର୍ଶ (ଅଧିନାୟକ), ଜାଭିୟର ବାର୍ଟଲେଟ୍, କୁପର୍ କନୋଲି, ଟିମ୍ ଡେଭିଡ୍, ବେନ୍ ଦ୍ୱାରସୁଇସ୍, କାମେରୁନ୍ ଗ୍ରୀନ୍, ନାଥନ୍ ଏଲିସ୍, ଜୋଶ୍ ହାଜେଲଉଡ୍, ଟ୍ରାଭିସ୍ ହେଡ୍, ଜୋଶ୍ ଇଙ୍ଗଲିସ୍, ମ୍ୟାଟ୍ କୁହ୍ନେମାନ, ଗ୍ଲେନ୍ ମ୍ୟାକ୍ସୱେଲ୍, ମ୍ୟାଟ୍ ରେନଶା, ମାର୍କସ୍ ଷ୍ଟୋଇନିସ୍, ଆଡାମ ଜାମ୍ପା।
Tags: