ଶିମିଳିପାଳ ଶୂନ ଡିଗ୍ରୀ,ମୟୁରଭଞ୍ଜରେ ହାଡ଼ ଭାଙ୍ଗୁଛି ଜାଡ଼
ମୟୁରଭଞ୍ଜ : ଶିମିଳିପାଳରେ ତୁଷାରପାତ। 0° ଡିଗ୍ରୀକୁ ଖସିଲା ପାରଦ। ହାଡ଼ ଭଙ୍ଗା ଜାଡରେ ଥରୁଛି ମୟୁରଭଞ୍ଜ । ଆଜି ସକାଳ ୬ଟା ସମୟରେ ଶିମିଳିପାଳ ଉପର ବାରାକାମୁଡ଼ାରେ ଶୂନ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ହାଡ଼ଭଙ୍ଗା ଜାଡ଼ ସାଙ୍ଗକୁ ଶିମିଳିପାଳରେ ତୁଷାରପାତ ମଧ୍ୟ ହୋଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ଦିନ ୧୦ଟା ଯାଏ ଘନ କୁହୁଡ଼ି ଚାଦର ତଳେ ଅଭୟାରଣ୍ୟ ଘୋଡେଇ ହୋଇ ରହିଛି । ଶିମିଳିପାଳ ସହ କରଞ୍ଜିଆ, ଶୁକୃଳି, ରରୁଆ,ଯଶିପୁର ଏବଂ ଠାକୁରମୁଣ୍ଡା ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି ।
ଚହଲାରେ ୨° ଡିଗ୍ରୀ, ନଅଣା ଠାରେ ୪° ଏବଂ ଗୁରୁଗୁଡିଆ ଓ ବରେହିପାଣି ଠାରେ ୫° ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ଏ ନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ସୂଚନା ମିଳିଛି।
ସେହିପରି,ସୁନ୍ଦରଗଡ ଜିଲା ବଣାଇଁ ଉପଖଣ୍ଡରେ ଚଳିତ ବର୍ଷ ପ୍ରଥମଥର ପାଇଁ ତାପମାତ୍ରା ୫ ଡିଗ୍ରୀ ଛୁଇଁଛି। ସାରା ବଣାଇଁ ବର୍ତ୍ତମାନ ଜାଡରେ ଥରୁଥିବା ବେଳେ କୋଇଡାରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି । ପୂର୍ବ ରାତ୍ରିରେ ବଣାଇଁ ଓ ଗୁରୁଣ୍ଡିଆ ତାପମାତ୍ରା ୫ ଡିଗ୍ରୀ ତଳେ ରହିବା ଓ କୋଇଡା ଅଞ୍ଚଳରେ ତାପମାତ୍ରା ୪ ଡିଗ୍ରୀ ଥିବା ରେକର୍ଡ କରାଯାଇଛି । କୋଇଡ଼ାର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାର ଦେଖିବାକୁ ମିଳିଛି।
ଅନ୍ୟପଟେ,ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରାତ୍ରି ତାପମାତ୍ରା କମିଛି । ଗତକାଲି ରାତି ସୁଦ୍ଧା ଭୁବନେଶ୍ୱର ରାତି ତାପମାତ୍ରା ୧୦.୧୦ ଡିଗ୍ରୀ ରହିଥିବାବେଳେ କଟକ ୧୦ ଡିଗ୍ରୀ ତଳେ ରହିଥିଲା । ଆହୁରି ୩ ଦିନ ଯାଏଁ ରାଜ୍ୟରେ କଲବଲ କରିବ ଶୀତ । ସେହିପରି ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ୬ ଦିନ ଯାଏ ପାଗ ଶୁଖିଲା ରହିବ। ତେଣୁ ଜାଡ ବା ପ୍ରବଳ ଶୀତ ଅନୁଭବ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।



