ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ, ପର୍ଯ୍ୟାୟ କ୍ରମେ ୭୨ ହଜାର ଲୋକଙ୍କୁ ସ୍ଥାନାନ୍ତର

ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ, ପର୍ଯ୍ୟାୟ କ୍ରମେ ୭୨ ହଜାର ଲୋକଙ୍କୁ ସ୍ଥାନାନ୍ତର
Samaya Live News Picture
Published On

ଭୁବନେଶ୍ୱର : ଓଡ଼ିଶା ମୁହାଁ ବାତ୍ୟା । ଗୋପାଳପୁରର ସାମାନ୍ୟ ଉତ୍ତରରେ ସ୍ଥଳଭାଗ ଛୁଇଁବ । ଲ୍ୟାଣ୍ଡଫଲ ବେଳେ ୯୦ରୁ ୧୦୦ କିମି ବେଗରେ ପବନ ବହିବ । ଝଟକା ପବନ ୧୧୦ କିମି ପର୍ଯ୍ୟନ୍ତ ଛୁଇଁପାରେ । ପରେ ପବନର ବେଗ ୭୦ରୁ ୮୦ କିମିକୁ ଖସିଯିବ । ପ୍ରଭାବରେ ଓଡ଼ିଶାରେ ୧୧ଟି ଜିଲ୍ଲାରେ ନିର୍ଦ୍ଧୁମ ବର୍ଷା ହେବାର ସମ୍ଭାବନା ରହିଛି । ରେଡ୍ ୱାର୍ଣ୍ଣିଂ ମିଳିଥିବା ଜିଲ୍ଲାରୁ ୭୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ତଳିଆ ଅଞ୍ଚଳ ଏବଂ ପାହାଡ଼ ପାଦଦେଶରେ ଥିବା ଗ୍ରାମଗୁଡ଼ିକରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୫,୦୦୦ ଏବଂ ଜଗତସିଂହପୁରରେ ୧୧,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏହା ସହିତ ୯,୧୦୦ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୪୪୮ଟି ବାତ୍ୟା ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ହୋଇଥିବା ବେଳେ ମୋଟ ୭,୯୦୦ଟି ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି । 

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି ସରକାର । ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ SRCଙ୍କ କାର୍ଯ୍ୟାଳୟରେ ବାତ୍ୟା ସମୀକ୍ଷା କରିଛନ୍ତି । ୧୦ ବିଭାଗର ସଚିବ ଓ ଅଧିକାରୀଙ୍କ ସହ ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ଗତି ବଦଳାଇ ଓଡ଼ିଶାରେ ଲ୍ୟାଣ୍ଡଫଲ କରିବ । ଗୁରୁବାର ପୁଣିଥରେ ଆକଳନ ପରେ କେଉଁ ସ୍ଥାନରେ ଲ୍ୟାଣ୍ଡଫଲ କରିବ ତାହା ସ୍ପଷ୍ଟ ହେବ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୯୦ରୁ ୧୦୦ କିମି ରହିବ । ଜିରୋ କାଜୁଆଲିଟି ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଛି । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

୪୬୮ଟି ବାତ୍ୟା ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ କରାଯାଇଛି । ଆଉ ୩ ହଜାରରୁ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯିବ । ଗଞ୍ଜାମ ଜିଲା ପାଇଁ ୫ କୋଟିର ଆଗୁଆ ସହାୟତା ଦିଆଯାଇଛି । ୧୫ ଜିଲ୍ଲାକୁ ବାତ୍ୟା ମୁକାବିଲା ପାଇଁ ୨୦ କୋଟିର ଆଗୁଆ ପାଣ୍ଠି ଦିଆଯାଇଛି । ବାତ୍ୟା ମୁକାବିଲା ପାଇଁ ୭ IASଙ୍କୁ ବିଭିନ୍ନ ଜିଲ୍ଳାର ଦାୟିତ୍ବ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

 

 

Tags: