ଗୁଳିମାଡ଼ରେ ଯୁବକ ମୃତ
ଯାଜପୁର : ଗୁଳିମାଡରେ ଯୁବକଙ୍କ ମୃତ୍ୟୁ । ଗତକାଲି ବିଳମ୍ବିତ ରାତିରେ ଯାଜପୁର ଟାଉନ ଥାନା ଅନ୍ତର୍ଗତ କାଳିମେଘା ନିକଟରେ ଗୁଳିମାଡ଼ର ଶିକାର ହୋଇଥିଲେ ଯୁବକ । ଦୁର୍ବୃତ୍ତ ଏକ ବାଇକରେ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ମୃତକ କୁଆଁସରପୁର ଅଂଚଳର ସୋମ୍ୟ ରଞ୍ଜନ ସାମଲ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ସୌମ୍ୟରଞ୍ଜନଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ୍ ପର୍ଯ୍ୟନ୍ତ ଗୁଳିକାଣ୍ଡର କାରଣ ଜଣାପଡିନାହିଁ । ଯାଜପୁର ପୁଲିସ୍ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି ।
ମୃତ ସୌମ୍ୟ ସେହି ଅଞ୍ଚଳରେ ଏକ ଛୋଟ ଦୋକାନ ଦେଇଛନ୍ତି । ରାତିରେ ଦୋକାନ ବନ୍ଦ କରି ଘରକୁ ଆସୁଥିବାବେଳେ କେହି ଜଣେ ତାଙ୍କୁ ପିଛା କରୁଥିବା ନେଇ ସେ ଫୋନରେ ପତ୍ନୀଙ୍କୁ କହିଥିଲେ । ଠିକ ସେହି ସମୟରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ବାସଭବନ ନିକଟରେ ଗୁଳିମାଡ଼ର ଶିକାର ହୋଇଥିଲେ ସୌମ୍ୟ ।
ଅନ୍ୟପଟେ ଏହି ଘଟଣାରେ ଏସସିଵିରେ ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାରବର୍ଗ । ତାଙ୍କ କହିବା ଅନୁସାରେ,ଆମ୍ବୁଲାନ୍ସ ବିଳମ୍ବରେ ଆସିଲା ଏବଂ ଏସ ସି ବି କାଜୁଆଲିଟିରେ ତୁରନ୍ତ ଚିକିତ୍ସା ନ ମିଳିବାରୁ ଆଜି ଭୋର୍ ସମୟରେ ସୌମ୍ୟଙ୍କର ମୃତ୍ୟୁ ଘଟିଲା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଗୁଳିମାଡ଼ରେ ଯେଉଁମାନେ ସମ୍ପୃକ୍ତ ତାଙ୍କୁ ଦଣ୍ଡ ମିଳୁ ବୋଲି ସେ କହିଛନ୍ତି ।



