ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇ ଯୁବକ ଅଟକ
ପୁରୀ : ଶ୍ରୀମନ୍ଦିର ସୁରକ୍ଷାରେ ଗୁରୁତର ତ୍ରୁଟି । ପୁଣି ଶ୍ରୀମନ୍ଦିର ନୋ ଫ୍ଲାଇଁ ଜୋନ୍ ରେ ଉଡିଲା ଡ୍ରୋନ୍ । ଆଜି ସକାଳ ପ୍ରାୟ ୫:୩୦ ମିନିଟରେ ଡ୍ରୋନଟି ଉଡୁଥିଲା । ଦୀର୍ଘ ସମୟ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଡ୍ରୋନ୍ ଉଡିବା ସହ ଶ୍ରୀମନ୍ଦିର ଭିତର ବେଢାର ଦୃଶ୍ୟକୁ କଏଦ୍ କରିଛି । ଡ୍ରୋନ୍ ଉଡୁଥିବା ଖବରପାଇ ତୁରନ୍ତ ପୁଲିସ ଉଦ୍ୟମ କରି ମାଟିମଣ୍ଡପ ସାହି ନିକଟରେ ଡ୍ରୋନକୁ ଧରିବା ସହ ଡ୍ରୋନ୍ ଉଡ଼ାଉ ଥିବା ଯୁବକ କୁ ଅଟକ ରଖିଛି । ଯୁବକ ଜଣକ କୋଲକାତାର ଜୟକୃଷ୍ଣ ମଣ୍ଡଳ ବୋଲି ପୁଲିସ ସୂଚନା ମିଳିଛି । ପୁଲିସ ସମ୍ପୃକ୍ତ ଯୁବକକୁ ସିଂହଦ୍ୱାର ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି । ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଥିବା ବେଳେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।
ଗତକାଲି ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଶ୍ରୀମନ୍ଦିର ନିକଟରେ ମକଡ୍ରିଲ୍ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା କୁ ନେଇ ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡଧରଣର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।




