ପ୍ରେମିକଙ୍କ ସହ ମନାନ୍ତର ପରେ ନିଜକୁ ଜାଳିଦେଲେ ଯୁବତୀ
ଭୁବନେଶ୍ୱର : ପ୍ରେମିକ ସାମ୍ନାରେ ନିଜକୁ ଜାଳିଦେଲେ ଯୁବତୀ । ଗତକାଲି ରାତିରେ ରାଜଧାନୀର ଇନ୍ଫୋସିଟି ଥାନା ଅଧୀନ ପଥରଗାଡ଼ିଆ ନିକଟରେ ଥିବା ଏକ କାଫେ ସାମ୍ନାରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ପ୍ରେମରେ ବିଫଳତାରୁ ଯୁବତୀ ଜଣକ ଚରମ ପଦକ୍ଷେପ ନେଇଥିବା ଜଣାପଡିଛି । ୯୫% ଶରୀର ଦଗ୍ଧ ହୋଇଯାଇଛି । ତାଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ଏବଂ ପରେ ଏମ୍ସରେ ଭର୍ତ୍ତି କରାଯାଇଛି । ଯୁବତୀ ଜଣକ ନୂଆପଲ୍ଲୀ ଥାନା ଅଞ୍ଚଳରେ ଏକ ନର୍ସିଂ ଇନ୍ଷ୍ଟିଚ୍ୟୁଟ୍ର କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟ କରୁଥିଲେ ।
ପୁଲିସ୍ ସୂଚନା ମୁତାବକ, ଯୁବତୀଙ୍କ ଘର ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳରେ ହୋଇଥିବାବେଳେ ତାଙ୍କ ପୁରୁଷ ବନ୍ଧୁଙ୍କ ଘର ଅନୁଗୁଳ ରେ ବୋଲି ଜଣା ପଡିଛି ଇ ତେବେ ଉଭୟଙ୍କ ମଧ୍ୟରେ ପ୍ରାୟ ୪ ମାସ ପୂର୍ବରୁ ସମ୍ପର୍କଙ୍କ ଛିନ୍ନ ହୋଇ ସାରିଥିଲା । ତେବେ ଗତକାଲି ରାତିରେ ଉଭୟେ ପୁଣି ପଥରଗାଡ଼ିଆ ନିକଟରେ ଥିବା ଏକ କାଫେରେ ଏକାଠି ହୋଇଥିଲେ । କିଛି ସମୟ କଥାବାର୍ତ୍ତା ପରେ ଯୁବତୀ ଜଣକ କାଫେ ର ବାହାରକୁ ଚାଲିଆସି ଦେହରେ ପେଟ୍ରୋଲ ଢାଳି ନିଜକୁ ଜାଳି ଦେଇଥିଲେ । ଘଟଣାପରେ ସ୍ଥାନୀୟ ଲୋକେ ଉକ୍ତ ଯୁବକକୁ ଅଟକାଇ ପୁଲିସ୍ ଜିମା ଦେଇଥିଲେ ।
ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି । ପ୍ରେମ ସମ୍ପର୍କରେ ବିଫଳତା କାରଣରୁ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ବୋଲି କୁହାଯାଉଛି । ତେବେ କ’ଣ ପାଇଁ ସେ ଏମିତି ଚରମ ନିଷ୍ପତ୍ତି ନେଇଥିଲେ ତାହା ବିଷୟରେ ଠିକ୍ ତଥ୍ୟ ମିଳି ନାହିଁ । ଏତେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଝିଅ କିପରି ଜୀବନ ହରିଲା ତାହାକୁ ନେଇ ପ୍ରଶ୍ନ କରିଛନ୍ତି ଯୁବତୀଙ୍କ ବାପା । ଘଟଣାର ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ ।




