ସନ୍ଦେହଜନକ ଅବସ୍ଥାରେ ଛାତରୁ ପଡି ଯୁବତୀଙ୍କ ମୃତ୍ୟୁ
କଟକ : ସନ୍ଦେହଜନକ ସ୍ଥିତିରେ ୩ ମହଲାରୁ ପଡ଼ି ଯୁବତୀଙ୍କ ମୃତ୍ୟୁ । କଟକ ବାଦାମବାଡ଼ି ଅଞ୍ଚଳରେ ଘଟିଛି ଅଘଟଣ । ଫୋନରେ କଥା ହେଉଥିବା ବେଳେ ଛାତରୁ ପଡି ଯାଇଥିବା ସୂଚନା ମିଳିଛି । ତାଙ୍କ ମୃତଦେହ ନିକଟରୁ ମୋବାଇଲ ଫୋନ୍ ମିଳିଛି। ମୃତକଙ୍କ ନାଁ ବର୍ଷା ତ୍ରିପାଠୀ ।ଘର ଜଗତସିଂପୁର ଅଞ୍ଚଳରେ ହୋଇଥିବାବେଳେ ସେ ବାଦାମବାଡ଼ି ଅଞ୍ଚଳରେ ଭଡା ଘରେ ରହି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ଗତ ବିଳମ୍ବିତ ରାତିରେ ସେ ଛାତ ଉପରେ ମୋବାଇଲ୍ ଫୋନ୍ରେ କଥା ହେଉଥିବା ସମୟରେ ଅଘଟଣର ଶିକାର ହୋଇଥିଲେ । ପଡ଼ିଯିବା ପରେ ତାଙ୍କୁ ଗୁରୁତର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକମାନେ ତାଙ୍କୁ ଏସ୍ସିବି ମେଡିକାଲ୍ କଲେଜ ଏବଂ ହସ୍ପିଟାଲକୁ ନେଇଯାଇଥିଲେ , ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସେପଟେ, ଝିଅକୁ ଛାତରୁ ଠେଲି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି । ତେବେ ଏହି ଘଟଣାରେ ଘର ମାଲିକଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।



