ଧାନ ବିକ୍ରି ସମସ୍ୟା ପାଇଁ ରାଷ୍ଟ୍ରପତିଙ୍କୁ ଇଚ୍ଛା ମୃତ୍ୟୁ ମାଗିଲେ ଯୁବ ଚାଷୀ

ଧାନ ବିକ୍ରି ସମସ୍ୟା ପାଇଁ  ରାଷ୍ଟ୍ରପତିଙ୍କୁ ଇଚ୍ଛା ମୃତ୍ୟୁ ମାଗିଲେ ଯୁବ ଚାଷୀ
Samaya Live News Picture
Published On

ବରଗଡ଼ : ଚାଷ କାମ ଯାହାର କି ଆନନ୍ଦ ତାହାର ... ଏହି ଉକ୍ତିଟି ଆଉ ଆନନ୍ଦ ଦେଉନାହିଁ ବରଂ ଚାଷ ପାଇଁ ମୃତ୍ୟୁକୁ ଶ୍ରେୟସ୍କର ମଣୁଛନ୍ତି ଚାଷୀ ଭାଇ । ଧାନ ବିକ୍ରି ସମସ୍ୟା ପାଇଁ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି ବରଗଡ଼ ଜିଲ୍ଲାର ଜଣେ ଯୁବ ଚାଷୀ । ପଶ୍ଚିମ ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲା ମେଲଛାମୁଣ୍ଡାରୁ ଆସିଛି ଏଭଳି ଏକ ସମ୍ବେଦନଶୀଳ ଘଟଣା । ଧାନ ବିକ୍ରି ସମସ୍ୟା ଓ ପ୍ରଶାସନିକ ଅବହେଳାର ଶିକାର ହେଉଛନ୍ତି ଚାଷୀ । 

ଘଟନାନୁସାରେ, ମେଲଛାମୁଣ୍ଡା ଗ୍ରାମର ଭରତକୃଷ୍ଣ ସାହୁଙ୍କ ପୁଅ ଗୋପାଳ ସାହୁ ଚଳିତ ରବି ଋତୁରେ କଷ୍ଟେମଷ୍ଟେ ଧାନ ଚାଷ କରିଥିଲେ । ହେଲେ ଧାନ ବିକ୍ରି ସମୟରେ ତାଙ୍କୁ ସରକାରୀ ଟୋକନ ମିଳିନଥିଲା । ଫସଲ ଅମଳ ପରେ ଧାନ ବିକ୍ରି କରି ଋଣ ଶୁଝିବା ସହ ଘରର ଆବଶ୍ୟକତା ପୂରଣ କରିବା ଆଶା ରଖିଥିଲେ । ଘରେ ରୋଗୀଣା ମାଆଙ୍କ ଚିକିତ୍ସା ଏବଂ ଅନ୍ୟାନ୍ୟ ଜରୁରୀ ଖର୍ଚ୍ଚ ତୁଲାଇବା ପାଇଁ ସେ ବାଧ୍ୟ ହୋଇ ଶାଗମାଛ ଦରରେ କିଛି ଧାନ ଖୋଲା ବଜାରରେ ବିକ୍ରି କରିଦେଇଥିଲେ । 


ଘରେ ବାକି ରହିଥିବା ଧାନତକ ସରକାରୀ ମଣ୍ଡିରେ ବିକ୍ରି କରିବା ଆଶାରେ ଗୋପାଳ ଦୀର୍ଘ ଦିନ ହେବ ଟୋକନ୍‌କୁ ଅପେକ୍ଷା କରି ରହିଥିଲେ । ଏଥିପାଇଁ ସେ ବାରମ୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ଗୁହାରି ଜଣାଇଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ସୁଫଳ ମିଳିନଥିଲା। କେହି ତାଙ୍କ ଦୁଃଖ ନଶୁଣିବାରୁ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ଚାଷ କାର୍ଯ୍ୟ ପାଇଁ କରିଥିବା ଧାର-କରଜର ବୋଝ ଗୋପାଳଙ୍କ ମୁଣ୍ଡ ଉପରେ ଚାପ ସୃଷ୍ଟି କରିଥିବାବେଳେ ପ୍ରଶାସନର ନିରବତା ତାଙ୍କୁ ମାନସିକ ସ୍ତରରେ ମାରିଦେଇଛି। ଅନ୍ୟ କୌଣସି ଉପାୟ ନପାଇ ଯୁବଚାଷୀ ଗୋପାଳ ସାହୁ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏକ ଚରମ ପଦକ୍ଷେପ ସ୍ୱରୂପ ଇଚ୍ଛାମୃତ୍ୟୁ ଆବେଦନ କରିଛନ୍ତି । ସେ ଜିଲ୍ଲାପାଳଙ୍କ ଜରିଆରେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏହି ପତ୍ର ପ୍ରଦାନ କରିଛନ୍ତି ।ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

 

Tags: