ଆଧାର ସହ ବ୍ୟାଙ୍କ ଖାତା ସଂଯୁକ୍ତ ନହେଲେ ମିଳିବ ନାହିଁ ଭତ୍ତା

ଆଧାର ସହ ବ୍ୟାଙ୍କ ଖାତା ସଂଯୁକ୍ତ ନହେଲେ ମିଳିବ ନାହିଁ ଭତ୍ତା
Samaya Live News Picture
Published On

ଭୁବନେଶ୍ୱର : ପେନ୍‌ସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ପେନ୍‌ସନଭୋଗୀଙ୍କ ଆଧାର ନମ୍ବର ବ୍ୟାଙ୍କ ଖାତା ସହ ଲିଙ୍କ ହୋଇନଥାଏ, ତେବେ ଆଗାମୀ ଆର୍ଥିକ ବର୍ଷ ୨୦୨୬-୨୭ରୁ ସେମାନଙ୍କ ପେନ୍‌ସନ ପାଇବାରେ ବିଳମ୍ବ କିମ୍ବା ସମ୍ପୂର୍ଣ୍ଣ ବନ୍ଦ ହେବାର ଆଶଙ୍କା ରହିଛି । ପେନସନ୍ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ଡିଜିଟାଲ୍ କରିବାର ଉଦ୍ଦେଶ୍ୟରେ ସରକାର ନେବାକୁ ଯାଉଛନ୍ତି ବଡ଼ ପଦକ୍ଷେପ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ତୁରନ୍ତ ପଦକ୍ଷେପ ନେବାକୁ କହିଛି ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ । ବର୍ତ୍ତମାନ ରାଜ୍ୟରେ ୩ ଲକ୍ଷ ୩୫ ହଜାର ୮୫୦ ଜଣ ପେନସନଭୋଗୀଙ୍କ ଆଧାର ନମ୍ବର ବ୍ୟାଙ୍କ ଖାତା ସହ ମ୍ୟାପିଂ ହୋଇନଥିବାରୁ ଭତ୍ତା ପାଇବାରେ ବିଳମ୍ବ ହେଉଛି ।

ସରକାରଙ୍କ ସୂଚନା ଅନୁସାରେ, ଆସନ୍ତା ଆର୍ଥିକ ବର୍ଷରୁ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅଧୀନରେ ମିଳୁଥିବା ସମସ୍ତ ପେନ୍‌ସନ SNA-Sparsh ପ୍ଲାଟଫର୍ମର ଆଧାର ଆଧାରିତ ପେମେଣ୍ଟ ବ୍ୟବସ୍ଥା ମାଧ୍ୟମରେ ପ୍ରଦାନ କରାଯିବ।

ବିଶେଷକରି ବୃଦ୍ଧ, ଶଯ୍ୟାଶାୟୀ ଓ ଅସହାୟ ପେନ୍‌ସନଭୋଗୀମାନେ ବ୍ୟାଙ୍କକୁ ଯାଇ ଆଧାର ଲିଙ୍କ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନକୁ ଏଭଳି ହିତାଧିକାରୀଙ୍କୁ ଚିହ୍ନଟ କରି ଆବଶ୍ୟକ ସ୍ଥାନରେ ଘରେ ପହଞ୍ଚି ସେବା ଯୋଗାଇବାକୁ କୁହାଯାଇଛି ।  

ଏଥିସହ ବ୍ଲକ ସ୍ତରରେ ଆଧାର ସିଡିଂ ଓ ଇ-କେୱାଇସି (e-KYC) କାର୍ଯ୍ୟକୁ ଶୀଘ୍ର ଶେଷ କରିବା ସହ ବ୍ୟାଙ୍କ ଲିଙ୍କିଂ ପ୍ରକ୍ରିୟାକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ରହିଛି।

ସରକାରଙ୍କ ଲକ୍ଷ୍ୟ ହେଉଛି ଯେ, କୌଣସି ଯୋଗ୍ୟ ପେନ୍‌ସନଭୋଗୀଙ୍କ ପେନ୍‌ସନ ବନ୍ଦ ନହେଉ ଏବଂ ସମସ୍ତ ହିତାଧିକାରୀ ନିରବଚ୍ଛିନ୍ନ ଭାବେ ସ୍ୱଚ୍ଛ ଓ ସମୟାନୁସାରେ ପେନ୍‌ସନ ପାଇପାରନ୍ତୁ । ତେଣୁ ଯେଉଁମାନଙ୍କର ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ ହୋଇନାହିଁ, ସେମାନେ ଶୀଘ୍ର ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦିଆଯାଇଛି।

Tags: