ଆଜିଠୁ ବଢିବ ତାତି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ରାଜ୍ୟରେ ପାଣିପାଗର ଦ୍ୱୈତ ରୂପ ଦେଖିବାକୁ ମିଳିଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷାର ସମ୍ଭାବନା ଥିବା ବେଳେ ଆଜିଠୁ ପୁଣି ବଢ଼ିବ ତାତି । କାଳବୈଶାଖୀ ପ୍ରଭାବ କମିବା ସହ ତାତି ବଢ଼ିବ। ଆଜି ରାଜ୍ୟର ୧୧ଟି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗଞ୍ଜାମ, ଗଜପତି,ନୟାଗଡ, ଖୋର୍ଦ୍ଧା, ପୁରୀ,କଟକ, ଜଗତସିଂହ ପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ତାତି ବଢ଼ିବ ।
ରାଜଧାନୀ ଭୁବନେଶ୍ଵର ବି ହେଲାଣି ପ୍ରବଳ ଗୁଳୁଗୁଳି ଏମିତି ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ । ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି । ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ପାଖ ଜିଲ୍ଲା ଗୁଡ଼ିକରେ ଗୁଳୁଗୁଳି ଏବଂ ୧୩ ଓ ୧୪ ତାରିଖରେ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ (ହିଟ୍ ୱେଭ) ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରାଯାଇଛି। ସେହିପରି ୧୫ ତାରିଖ ପରେ ରାଜ୍ୟରେ ତାପମାତ୍ରା ୪୦ ଡ଼ିଗ୍ରୀ ପାର କରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।



