ଓଡ଼ିଶା ପାଇଁ ସ୍ଥାୟୀ ସହରୀ ଯାତାୟାତ ପରିବର୍ତ୍ତନ ଯୋଜନା ପ୍ରସ୍ତୁତି ଉପରେ କର୍ମଶାଳା

BKPPER ପାଇଁ ସମନ୍ୱିତ ସହରୀ ଯାତାୟାତ ଢାଞ୍ଚା ବିକାଶରେ ଓଡ଼ିଶା ସରକାରଙ୍କ ସହ ଏଡିବିର ସହଭାଗିତା

ଓଡ଼ିଶା ପାଇଁ ସ୍ଥାୟୀ ସହରୀ ଯାତାୟାତ ପରିବର୍ତ୍ତନ ଯୋଜନା ପ୍ରସ୍ତୁତି ଉପରେ କର୍ମଶାଳା
Samaya Live News Picture
Published On

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ “ଓଡ଼ିଶା ପାଇଁ ସ୍ଥାୟୀ ସହରୀ ଯାତାୟାତ ପରିବର୍ତ୍ତନ ଯୋଜନା ପ୍ରସ୍ତୁତି”କର୍ମଶାଳା ଆଜି ଖାରବେଳ ଭବନଠାରେ ଅନୁଷ୍ଠିତ ହୋଇଛି । ଏସିଆନ୍‌ ଡେଭେଲପମେଣ୍ଟ ବ୍ୟାଙ୍କ ସହଯୋଗରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା ।

ଭୁବନେଶ୍ୱର–କଟକ–ପୁରୀ–ପାରାଦୀପ ପାଇଁ ଏକ ବ୍ୟାପକ ଓ ସ୍ଥାୟୀ ସହରୀ ଯାତାୟାତ ଢାଞ୍ଚା ପ୍ରସ୍ତୁତ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ । ଏଥିରେ ଆଞ୍ଚଳିକ ଯାତାୟାତ ଯୋଜନା, ସାର୍ବଜନୀନ ବସ୍‌ ସେବାର ରୂପାନ୍ତରଣ ଏବଂ ସ୍ଥାୟୀ ସହରୀ ପରିବହନ ପାଇଁ ଅନୁଷ୍ଠାନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯିବ । ଏହି ପଦକ୍ଷେପ ଓଡ଼ିଶା ଭିଜନ୍‌ ୨୦୩୬ ଏବଂ ଭିଜନ୍‌ ୨୦୪୭ର ଦୀର୍ଘମିଆଦୀ ଲକ୍ଷ୍ୟ ସହ ସମନ୍ୱିତ ।

କର୍ମଶାଳାରେ ଏଡିବି ଟିମ୍‌ ପକ୍ଷରୁ BKPPER ପାଇଁ ସମନ୍ୱିତ ଆଞ୍ଚଳିକ ଯାତାୟାତ ଯୋଜନା, ବସ୍‌ ସେବା ରୂପାନ୍ତରଣ ରୋଡ୍‌ମ୍ୟାପ୍‌ ଏବଂ ପ୍ରସ୍ତାବିତ ଓଡ଼ିଶା ଟ୍ରାଞ୍ଜିଟ୍‌-ଓରିଏଣ୍ଟେଡ୍‌ ଡେଭେଲପମେଣ୍ଟ ନୀତି ଉପରେ ଆଲୋଚନା ହୋଇଥିଲା । 

ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଉଷା ପାଢ଼ୀ ଆୟୋଜିତ କାର୍ମଶାଳା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ଏହା କେବଳ ଏକ ଦସ୍ତାବିଜ ପ୍ରସ୍ତୁତିରେ ସୀମିତ ନ ରହି ସମସ୍ତ ଅଂଶୀଦାରଙ୍କ ସହଭାଗିତାରେ ଏକ କାର୍ଯ୍ୟକାରୀ ଓ ରୂପାୟଣଯୋଗ୍ୟ ଢାଞ୍ଚାରେ ପରିଣତ ହେବା ଆବଶ୍ୟକ । ଦୁର୍ଗମ ଅଞ୍ଚଳରେ ନିଜର ଅଭିଜ୍ଞତାର ଉଦାହରଣ ଦେଇ ସେ କହିଥିଲେ , ଯାତାୟାତ ସୁବିଧାର ଅଭାବ ଲୋକଙ୍କ ମୌଳିକ ସେବା ଓ ଆର୍ଥିକ ସୁଯୋଗ ପାଇବାରେ ପ୍ରଭାବ ପକାଇଥାଏ । ଓଡ଼ିଶା ଦ୍ରୁତ ସହରୀକରଣର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟକୁ ପ୍ରବେଶ କରୁଥିବାରୁ ଦୂରଦୃଷ୍ଟିସମ୍ପନ୍ନ ଓ ସମନ୍ୱିତ ଯୋଜନାର ଆବଶ୍ୟକତା ରହିଛି । ସ୍ଥାୟୀ ଯାତାୟାତ ନୀତିକୁ ପ୍ରାରମ୍ଭରୁ ଆପଣାଇ ଭବିଷ୍ୟତର ସମସ୍ୟାକୁ ଏଡ଼ାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଏଡିବିର ଟ୍ରାନ୍ସପୋର୍ଟ ସେକ୍ଟର ଅଫିସ୍‌ର ନିର୍ଦ୍ଦେଶକ ଶ୍ରୀ କାଞ୍ଜୋ ନାକାଇ ଯାତାୟାତ, ସହରୀ ଉତ୍ପାଦକତା ଓ ବିକାଶ ମଧ୍ୟରେ ଥିବା ଗଭୀର ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ଛଅଟି ପ୍ରମୁଖ ମହାନଗରକୁ ନେଇ ସେମାନଙ୍କ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନର ଉଲ୍ଲେଖ କରି ସେ କହିଥିଲେ ଡ଼ିଶାର ବର୍ତ୍ତମାନର ସହରୀକରଣ ପର୍ଯ୍ୟାୟ ଏଭଳି ଏକ ସୁଯୋଗ ପ୍ରଦାନ କରୁଛି, ଯାହା ମାଧ୍ୟମରେ ପୁରୁଣା ମହାନଗରଗୁଡ଼ିକରେ ଦେଖାଦେଇଥିବା କାର୍‌-କେନ୍ଦ୍ରିକ ଯାତାୟାତ ଧାରା ଓ ଭିତ୍ତିଭୂମିଗତ ସମସ୍ୟାକୁ ଏଡ଼ାଇ ଅଧିକ ସ୍ଥାୟୀ ଓ ସମନ୍ୱିତ ଯାତାୟାତ ବ୍ୟବସ୍ଥା ଗଢ଼ି ତୋଳାଯାଇପାରିବ ।

କର୍ମଶାଳାରେ ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, ମ୍ୟୁନିସିପାଲ୍‌ ଆଡମିନିଷ୍ଟ୍ରେସନ୍‌ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ, CRUTର ପରିଚାଳନା ନିର୍ଦ୍ଦେଶକ  ମହମ୍ମଦ ସିଦ୍ଦିକ୍‌ ଆଲମ୍‌,  ଇଡକୋ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଡି. ପ୍ରଶାନ୍ତ ରେଡ୍ଡୀ ଏବଂ  ବିଡିଏ ର ଉପାଧ୍ୟକ୍ଷ ଶ୍ରୀ ଚଞ୍ଚଳ ରାଣାଙ୍କ ସମେତ ୱର୍କ୍ସ ବିଭାଗ, OSRTC, ପୁଲିସ, IDCO, KDA ଏବଂ ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳମାନେ ଓ ଅନ୍ୟାନ୍ୟ ଅଂଶୀଦାରମାନେ ଅନଲାଇନ୍‌ ମାଧ୍ୟମରେ ଯୋଗଦେଇଥିଲେ ।

 

Tags: