ମହିଳା ବନ କର୍ମଚାରୀଙ୍କୁ ପଥର ମାଫିଆଙ୍କ ଦୁର୍ବ୍ୟବହାର
ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରିରେ ମହିଳା ବନ କର୍ମଚାରୀଙ୍କୁ ପଥର ମାଫିଆଙ୍କ ଦୁର୍ବ୍ୟବହାର । ପଥର ମାଫିଆଙ୍କ ସହ ଅନ୍ୟ ବନ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ନେଇ ଛାନ ଭିନ କରିବାକୁ ଯାଇଥିବା ବେଳେ ମହିଳା ଫରେଷ୍ଟ ଗାର୍ଡ ବବିସ୍ମିତା ସାହୁ ଦୁର୍ବ୍ୟବହାରର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ସେ ନିଜ ସ୍କୁଟି ଛାଡି ଦୌଡ଼ି ପଳାଇ ଆସିଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ନୀଳଗିରି ରେଞ୍ଜ ଧୋବଶିଳା ବିଟ୍ ଅଧୀନ ରାବିଡିସାହି ଓ ଡାହିସାହି ଅଞ୍ଚଳରେ । ବେଆଇନ ପଥର ଚୋରା ଚାଲଣକୁ ରୋକିବାକୁ ଯାଇ ରାତି ଅଧରେ ଜଣେ ମହିଳା ଫରେଷ୍ଟ ଗାର୍ଡ ଦୁର୍ବ୍ୟବହାରର ଶିକାର ହୋଇଥିଲେ । ମାମଲାରେ ଜଣେ ବନ କର୍ମଚାରୀଙ୍କ ମୋବାଇଲ୍ ଜବତ କରାଯାଇଥିବା ବେଳେ ସେ ନେଇ ଛାନଭିନ୍ କରାଯାଉଛି ।
ସୂଚନା ଅନୁସାରେ, ନିକଟ ଧୋବଶିଳା ଜଙ୍ଗଲ ନିକଟ ପାହାଡରୁ ବେଆଇନ ଭାବରେ ପଥର ଉତ୍ତୋଳନ କରାଯାଇ ନିକଟରେ ହେଉଥିବା ଏକ ମନରେଗା ଯୋଜନାରେ ନିର୍ମାଣ କରାଯାଉଥିବା ଏକ ସରକାରୀ ରାସ୍ତା କାର୍ଯ୍ଯରେ ଲଗାଯାଉଥିଲା । ଏ ଖବର ପାଇବା ନୀଳଗିରି ବନବିଭାଗକୁ ଅବଗତ କରାଯିବା ପରେ ମହିଳା ଫରେଷ୍ଟଗାର୍ଡ ବବିସ୍ମିତା ସାହୁ ସଦଳବଳେ ଘଟଣାରେ ସ୍ଥଳରେ ପହଞ୍ଚିଥିଲେ। ଘଟଣା ସ୍ଥଳରେ ମାଫିଆଙ୍କ ସହ ଗ୍ରାମବାସୀ ମିଳିତ ଭାବରେ ମହିଳା ଗାର୍ଡଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ। ଫଳରେ ମହିଳା ଗାର୍ଡ ଜଣକ ଘଟଣା ସ୍ଥଳରେ ସ୍କୁଟି ଛାଡି ପଳାଇଯାଇଥିଲେ । ବନବିଭାଗ ପହଞ୍ଚିବା ପୂର୍ବରୁ ପଥର ମାଫିଆଙ୍କୁ ଅନ୍ୟ କିଛି ଅସାଧୁ ବନକର୍ମଚାରୀ ଅବଗତ କରାଇଥିବା ସନ୍ଦେହ କରାଯାଉଥିବା ବେଳେ ଜଣେ ବନ କର୍ମଚାରୀଙ୍କ ମୋବାଇଲ ଜବତ କରିଛି ବନବିଭାଗ ।



