ଡିଜେ ଶବ୍ଦରେ ମହିଳାଙ୍କ ମୃତ୍ୟୁ
ବଲାଙ୍ଗୀର : କାହାର ପୌଷ ମାସ ତ କାହାର ସର୍ବନାଶ । ଡିଜେ ସାଉଣ୍ଡ ହେଲା କାଳ । ବିବାହ ଶୋଭାଯାତ୍ରା ବେଳେ ବାଣ ରୋଷଣୀ କରି ଡିଜେ ତଳେ ତଳେ ନାଚି ବରଯାତ୍ରୀ ମସଗୁଲ ଥିବାବେଳେ, ଶବ୍ଦରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏଭଳି ଦାରୁଣ ଘଟଣା ଘଟିଛି ବଲାଙ୍ଗୀର ପାଟଣାଗଡ଼ ବ୍ରହ୍ମପୁରା ଅଞ୍ଚଳରେ । ମୃତକଙ୍କ ନାଁ ଲୋଚନା ବହୁକ୍ । ସେ ଗାଁରେ ଏକ ନଳକୂଅ ନିକଟରେ ତାଙ୍କ ନାତୁଣୀକୁ ଗାଧୋଇ ଦେଉଥିବା ବେଳେ ସେହି ରାସ୍ତା ଦେଇ ସାହାରପଡ଼ାକୁ ଏକ ବିବାହ ଶୋଭାଯାତ୍ରା ଯାଉଥିଲା । ପ୍ରବଳ ଜୋରରେ ଡିଜେ ବାଜିବା ସହ ବରଯାତ୍ରୀ ନାଚଗୀତରେ ମସଗୁଲ ଥିଲେ । ମତ୍ରାଧିକ ଡିଜେ ଶବ୍ଦରେ ଲୋଚନା ଅସୁସ୍ଥ ହୋଇପଡିଥିଲେ । ଏହି ସମୟରେ ଡିଜେ ବନ୍ଦ କରିବାକୁ କହିଥିଲେ ମଧ୍ୟ ବରଯାତ୍ରୀ ଦଳ ଶୁଣି ନଥିଲେ । ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ଼ ମେଡିକାଲ ଏବଂ ପରେ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଡିଜେ ସାଉଣ୍ଡରେ ତାଙ୍କ ମସ୍ତିସ୍କରେ ଏକ ଭେନ୍ ଫାଟି ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମହିଳା ଜଣକ ରାସ୍ତା କଡ଼ରେ ଏକ ଛୋଟ ହୋଟେଲ କରି ପରିବାର ଚଳାଉଥିଲେ । ତାଙ୍କ ମୃତ୍ୟୁ ପରେ ପୂରା ପରିବାର ବେସାହାରା ହୋଇପଡ଼ିଛି । ବାରମ୍ବାର ଡିଜେର ଉତ୍କଟ ଶବ୍ଦ ଯୋଗୁଁ ଅନେକ ସ୍ଥାନରେ ହୃଦଘାତରେ ଲୋକଙ୍କ ମୃତ୍ୟୁ ଘଟୁଥିବା ଖବର ମାନ ସାମ୍ନାକୁ ଆସୁଥିଲେ ମଧ୍ୟ ଅମାନିଆ ସଚେତନ ହେଉନାହାନ୍ତି ।




