ଲଗାଣ ବର୍ଷା ଯୋଗୁଁ ମାଟିକାନ୍ଥ ଭୁଶୁଡି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
ବାରିପଦା : ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ସୃଷ୍ଟି ହୋଇଛି ଭୟଙ୍କର ପରିସ୍ଥିତି । ଗତ ୨ଦିନ ଧରି ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି । ଲଗାଣ ବର୍ଷା ଫଳରେ ଗତକାଲି ରାତିରେ ରାଇରଙ୍ଗପୁର ଉପଖଣ୍ଡ ବାଦାମପାହାଡ଼ ଥାନା ଅନ୍ତର୍ଗତ ଛନୁଆ ଗ୍ରାମରେ କାନ୍ଥ ଭୁଷୁଡି ସ୍ତ୍ରୀର ଜୀବନ ଚାଲିଯାଇଥିବାବେଳେ ସ୍ୱାମୀ ଗୁରୁତର ଆହାତ ହୋଇଛନ୍ତି । ମୃତକ ହେଲେ ହେମଲତା ମହାନ୍ତ(୪୫) ଏବଂ ଗୁରୁତର ଆହତ ସ୍ୱାମୀ ହେଉଛନ୍ତି ବୀରଭଦ୍ର ମହାନ୍ତ (୫୨) । ସୋମବାର ରାତିରେ ଖାଇପିଇ ଘରେ ଶୋଇଥିବାବେଳେ ରାତି ୩ଟା ବେଳେ ଘଟିଛି ଅଘଟଣ ।
ଘଟଣା ଜଣା ପଡିବା ପରେ ପଡୋଶୀଙ୍କ ସାହାଯ୍ୟରେ ଜେସିବି ସାହାଯ୍ୟରେ ମାଟିକାନ୍ଥ ତଳୁ ଦମ୍ପତିଙ୍କୁ ଉଦ୍ଧାର କରି ବାଦାମପାହାଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ହେମଲତାଙ୍କୁ ମୃତ ଘୋଷଣା କରିଥିଲେ । ବୀରଭଦ୍ରଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ବାଦାମପାହାଡ ଥାନାରେ ଏକ ଅପମୃତ ମାମଲା ରୁଜୁ ହୋଇଛି ।
ଭାରତୀୟ ପାଣିପାଗ ବିଭାଗ (IMD)ର ରିପୋର୍ଟ ଅନୁସାରେ, ରାଜ୍ୟର ୩ଟି ସ୍ଥାନରେ ଅତିଭାରୀ ବର୍ଷା ହୋଇଥିବା ବେଳେ ୨୨ଟି ସ୍ଥାନରେ ଭାରୀ ବର୍ଷା ରେକର୍ଡ ହୋଇଛି। ବର୍ଷାରେ ସର୍ବାଧିକ ପ୍ରଭାବିତ ହୋଇଛି ମୟୂରଭଞ୍ଜ। ଜିଲ୍ଲାର ବହଳଦାରେ ସର୍ବାଧିକ ୨୭୩ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ରାଇରଙ୍ଗପୁରରେ ୧୮୦ ମିମି, ଝାରବନ୍ଧରେ ୧୫୦ ମିମି ଏବଂ ଜାମଦାରେ ୧୨୪ ମିମି ବର୍ଷା ହୋଇଛି। ବାଙ୍ଗିରିପୋଷିରେ ୧୧୨.୪ ମିମି, ବୁଆତଳାରେ ୧୦୭ ମିମି ଏବଂ ତିରିଂରେ ୯୬.୨ ମିମି ବର୍ଷା ରେକର୍ଡ ହୋଇଛି।
ଜିଲ୍ଲାର ଅନ୍ୟ ବ୍ଲକ ଅଞ୍ଚଳ ଗୁଡିକରେ ବୃଷ୍ଟିପାତ ଯଥେଷ୍ଟ କମ୍ ରହିଛି । ଲଗାଣ ବର୍ଷା ଯୋଗୁଁ ତଳିଆ ପୋଲ ଗୁଡିକ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ।




