ମହିଳା ଏସିପିଙ୍କ ସହ ଧସ୍ତାଧସ୍ତି ,୧୦ ଅଟକ
କଟକ: କଟକରେ ପୋଲିସ-ପବ୍ଲିକ ଧସ୍ତାଧସ୍ତି । ୧୦ ଜଣଙ୍କୁ ଅଟକ ରଖିଲା ପୋଲିସ । ସିସିଟିଭି ଆଧାରରେ ବଡ଼ ଆକ୍ସନ । ଦୀପାବଳି ବାଣଫୁଟାକୁ କେନ୍ଦ୍ର କରି କଟକ ନୟାସଡ଼କ ଛକ ପାଲଟିଥିଲା ରଣକ୍ଷେତ୍ର । ମହିଳା ଏସିପି ଅନନ୍ୟା ଅୱସ୍ତିଙ୍କୁ ଧକ୍କା ମରାଯାଇଥିବା ଅଭିଯୋଗ ରେ ଲାଲ୍ବାଗ ଥାନା ପୋଲିସ ୧୦ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଭାଇରାଲ ହେଉଥିବା ଭିଡିଓ ଦୃଶ୍ୟ ଆଧାରରେ ଆକ୍ରାମଣକାରୀଙ୍କୁ ଅଟକ ରଖିଛି ପୋଲିସ । ଏନେଇ କଟକ ଡିସିପି ଖିଲାରି ଋଷିକେଶ ଧ୍ୟାନଦେଓ ସୂଚନା ଦେଇଛନ୍ତି ।
ସୂଚନାନୁସାରେ, ଦୀପାବଳି ଉତ୍ସବ ସମୟରେ ନିର୍ଦ୍ଧାରିତ ସମୟ ସୀମା ପରେ ମଧ୍ୟ କିଛି ଯୁବକ ବାଣ ଫୁଟାଉଥିଲେ। ପୋଲିସ ନିୟମ ଅନୁଯାୟୀ ସେମାନଙ୍କୁ ବାଣ ନଫୁଟାଇବାକୁ ବାରଣ କରିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ଏହି ସମୟରେ ଆଇପିଏସ ଅଧିକାରୀ ତଥା ମହିଳା ଏସିପି ଅନନ୍ୟା ଅୱସ୍ତି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ପୋଲିସ ଉପସ୍ଥିତିରେ ଉତ୍ତ୍ୟକ୍ତ ଲୋକେ ତାଙ୍କ ସହ ଧସ୍ତାଧସ୍ତି କରିବା ସହ ତାଙ୍କୁ ଠେଲାପେଲା କରିଥିଲେ ।
କଟକ ଡିସିପି ଖିଲାରୀ ଋଷିକେଶ ଜ୍ଞାନଦେଓ କହିଛନ୍ତି ଘଟଣାସ୍ଥଳର ସିସିଟିଭି ଫୁଟେଜ ଏବଂ ଭାଇରାଲ ଭିଡିଓ ଯାଞ୍ଚ କରାଯାଉଛି। ଆଇନ ହାତକୁ ନେଇଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।




