କମିବ କି ବିଧାୟକଙ୍କ ଦରମା ?? ସଂସଦୀୟ ବ୍ୟାପାର ମନ୍ତ୍ରୀ ଦେଲେ କିଛି ଏଇଭଳି ସୂଚନା
ଭୁବନେଶ୍ୱର : ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଅହେତୁକ ମୂଲ୍ୟବୃଦ୍ଧି କୁ ନେଇ ଖାଉଟି ହନ୍ତସନ୍ତ ହେଉଥିବା ବେଳେ ଏକା ଥରକେ ୩ ଗୁଣା ଦରମା ବୃଦ୍ଧିକୁ ନାପସନ୍ଦ କରିଛନ୍ତି ଜନସାଧାରଣ । ଏହି ନିଷ୍ପତ୍ତିକୁ ପୁନର୍ବିଚାର କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି । ଗୁରୁବାର ଦିନ ବିଜେପି ବିଧାୟକ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶାସକ ଦଳର ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦରମା ବୃଦ୍ଧି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି କରିଛନ୍ତି । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଲୋକମତକୁ ସମ୍ମାନ ଜଣାଇ ଦରମା ବୃଦ୍ଧି ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଜନସାଧାରଣଙ୍କ ଭାବନାକୁ ଗୁରୁତ୍ୱ ଦେଇ ଏହି ପଦକ୍ଷେପ ନିଆଯାଇଛି ।
ଗତ ଡିସେମ୍ବର ୯ ତାରିଖରେ ଶୀତକାଳୀନ ଅଧିବେଶନ ସମୟରେ ବିଧାନସଭାରେ ସର୍ବସମ୍ମତି କ୍ରମେ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ବିଲ୍ ପାରିତ ହୋଇଥିଲା । ଏଥିରେ ବିଧାୟକଙ୍କ ମୋଟ ଦରମା ଓ ଭତ୍ତା ୧ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୩ ଲକ୍ଷ ୪୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଅର୍ଥାତ୍ ଦରମା ପ୍ରାୟ ତିନି ଗୁଣ ବଢ଼ିଥିଲା । ଏହା ସହିତ ପୂର୍ବତନ ବିଧାୟକଙ୍କ ପେନ୍ସନ୍ ରାଶିରେ ମଧ୍ୟ ବୃଦ୍ଧି ଘଟିଥିଲା ।
ସୂଚନାନୁସାରେ,ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, ମନ୍ତ୍ରୀ ପରିଷଦର ଅନ୍ୟ ସଦସ୍ୟ ଓ ବିଧାୟକମାନେ ଉପସ୍ଥିତ ଥିଲେ। ବୈଠକରେ ସାଙ୍ଗଠନିକ ସ୍ଥିତି ଏବଂ ରଣନୀତି ନେଇ ଆଲୋଚନା ହୋଇଛି ।




