ବର୍ଷକୁ ଥରେ କାହିଁକି ପାଦ ଦର୍ଶନ ଦିଅନ୍ତି ମା’ ରାଧା?
ରାଧାପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ଭିଡ!
ପବିତ୍ର ଅଁଳା ନବମୀ। ଆଜିର ଦିନଟି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଓ ଆଧ୍ୟାତ୍ମିକ ମହତ୍ତ୍ୱ ବହନ କରେ। କାରଣ ଆଜି ବର୍ଷକରେ ମାତ୍ର ଥରେ ମିଳେ ମା’ ରାଧାରାଣୀଙ୍କ ଦୁର୍ଲଭ ଶ୍ରୀପାଦ ଦର୍ଶନର ସୌଭାଗ୍ୟ। ଏହି ପବିତ୍ର ଅବସରରେ ପୁରୀ ଜିଲ୍ଲା ସତ୍ୟବାଦୀର ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତି ଓ ଭାବନାର ଅପୂର୍ବ ପରିବେଶ ସୃଷ୍ଟି ହୋଇଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ମନରେ ଗୋଟିଏ ଆଶା, ଥରେ ମାତ୍ର ଦର୍ଶନ କରିବେ ମା’ଙ୍କ ଶ୍ରୀପାଦ ପଦ୍ମ ।
.jpeg)
ଆଜିର ଦିନରେ ମା’ ରାଧାରାଣୀ ଓଡ଼ିଆଣୀ ବେଶରେ ସଜେଇ ହୋଇଥିବାବେଳେ ପ୍ରଭୁ ସାକ୍ଷୀଗୋପାଳ ନଟବର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। କାଣିଆ କଛା ମାରି ଖଣ୍ଡୁଆ ପାଟବସ୍ତ୍ର ପରିଧାନ କରିଛନ୍ତି ମା’ ରାଧାରାଣୀ। ସେହିପରି ସ୍ୱର୍ଣ୍ଣ କିରୀଟ ଓ ସୁବର୍ଣ୍ଣ ବଂଶୀ ଧାରଣ କରି ନଟବର ବେଶରେ ସଜେଇ ହୋଇଛନ୍ତି ଶ୍ରୀକୃଷ୍ଣ। ଏହି ମନୋରମ ଦୃଶ୍ୟ ଦର୍ଶନ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଛୁଟି ଆସିଛନ୍ତି ଭକ୍ତ। କାହିଁକି ବର୍ଷକରେ ଥରେ ମିଳେ ରାଧାପାଦ ଦର୍ଶନ?
ପରମ୍ପରା ଅନୁଯାୟୀ, ବର୍ଷର ଅନ୍ୟ ସମସ୍ତ ଦିନ ମା’ ରାଧାରାଣୀଙ୍କ ଶ୍ରୀପାଦ ଶାଢ଼ି ଓ ବସ୍ତ୍ରରେ ଆବୃତ ହୋଇ ରହିଥାଏ। କିନ୍ତୁ କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ଅର୍ଥାତ୍ ଅଁଳା ନବମୀ ଦିନ ଭକ୍ତମାନେ ମା’ଙ୍କ ଶ୍ରୀପାଦ ଦର୍ଶନ କରିବାର ସୁଯୋଗ ପାଆନ୍ତି। ଏହି ଦର୍ଶନକୁ ଅତ୍ୟନ୍ତ ପୁଣ୍ୟଦାୟକ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି। ମା’ଙ୍କ ଶ୍ରୀପାଦ ଦର୍ଶନ କଲେ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ମିଳିବା ସହ ପାପ କ୍ଷୟ ହୁଏ ବୋଲି ଶ୍ରଦ୍ଧାଳୁମାନେ ମାନିଥାନ୍ତି।
ଅଁଳା ନବମୀରେ ସ୍ୱତନ୍ତ୍ର ନୀତିକାନ୍ତି
.jpeg)
ଏହି ବିଶେଷ ଦିନ ପାଇଁ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତିର ବ୍ୟବସ୍ଥା ହୋଇଛି। ରାତି ଗୋଟାଏରେ ଦ୍ୱାରଫିଟା ନୀତି ସମ୍ପନ୍ନ ହେବା ପରେ ରାତି ୨ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହୋଇଛି। ଭୋର ୫ଟାରୁ ୬ଟା ପର୍ୟ୍ୟନ୍ତ ସେବାୟତ ଓ ମନ୍ଦିର କର୍ମଚାରୀଙ୍କ ପରିବାର ପାଇଁ ଦର୍ଶନର ବ୍ୟବସ୍ଥା ରହିଛି। ସକାଳ ୬ଟାରୁ ଅପରାହ୍ନ ୫ଟା ପର୍ୟ୍ୟନ୍ତ ସାଧାରଣ ଭକ୍ତମାନେ ଦର୍ଶନ କରିପାରିବେ।
ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦେଖି ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୨୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ସହ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାରିକେଡ୍ ନିର୍ମାଣ, ଟ୍ରାଫିକ୍ ପରିଚାଳନା ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ଏଥିସହ ମନ୍ଦିର ଭିତରେ ମୋବାଇଲ୍ ଫୋନ୍ ଓ କ୍ୟାମେରା ବ୍ୟବହାର ଉପରେ କଟକଣା ଲଗାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ସହଯୋଗ ଲୋଡ଼ାଯାଇଛି।
କିମ୍ବଦନ୍ତୀରେ ରହିଛି ସାକ୍ଷୀଗୋପାଳଙ୍କ ଅନନ୍ୟ କାହାଣୀ
.jpeg)
ସାକ୍ଷୀଗୋପାଳ ମନ୍ଦିରର ମହିମା କେବଳ ରାଧାପାଦ ଦର୍ଶନରେ ସୀମିତ ନୁହେଁ। ଏହା ପଛରେ ରହିଛି ଅନେକ ପୁରାତନ କିମ୍ବଦନ୍ତୀ ଓ ଆଧ୍ୟାତ୍ମିକ ଇତିହାସ।
କିମ୍ବଦନ୍ତୀ ଅନୁସାରେ, ରାଜା ଉନ୍ମାଧବଙ୍କ ଦ୍ୱାରା ଯମୁନା ନଦୀକୂଳରୁ ଅଣାଯାଇଥିବା ଶ୍ରୀକୃଷ୍ଣଙ୍କ ମଣିବିଗ୍ରହ ବୃନ୍ଦାବନରେ ପୂଜା ପାଉଥିଲେ। ପରବର୍ତ୍ତୀ ସମୟରେ ଜଣେ ବ୍ରାହ୍ମଣଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିର ସାକ୍ଷୀ ଦେବା ପାଇଁ ପ୍ରଭୁ କାଞ୍ଚିକୁ ଆସିଥିଲେ। ସେହି ଘଟଣା ପରଠାରୁ ଶ୍ରୀକୃଷ୍ଣ ସାକ୍ଷୀଗୋପାଳ ନାମରେ ପରିଚିତ ହେଲେ। ପରେ ଓଡ଼ିଶାର ଗଜପତି ରାଜା ପୁରୁଷୋତ୍ତମ ଦେବ କାଞ୍ଚି ବିଜୟ ପରେ ପ୍ରଭୁଙ୍କ ବିଗ୍ରହକୁ ଓଡ଼ିଶା ଆଣିଥିବା କଥା ଲୋକକଥାରେ ରହିଛି। ବିଭିନ୍ନ ସ୍ଥାନ ଦେଇ ଶେଷରେ ପ୍ରଭୁଙ୍କ ବିଗ୍ରହ ସତ୍ୟବାଦୀରେ ସ୍ଥାପିତ ହୋଇଥିଲା।
ଆଉ ଏକ ପ୍ରଚଳିତ କିମ୍ବଦନ୍ତୀ ଅନୁସାରେ, ପୁରୀ ଶ୍ରୀମନ୍ଦିରରେ ରହିବା ସମୟରେ ସାକ୍ଷୀଗୋପାଳଙ୍କ ଯୋଗୁଁ ମହାପ୍ରଭୁଙ୍କ ଭୋଗରେ ବାଧା ସୃଷ୍ଟି ହେଉଥିବା କଥା ରାଜାଙ୍କୁ ସ୍ୱପ୍ନାଦେଶ ହୋଇଥିଲା। ଏହାପରେ ବାବା ବ୍ରହ୍ମଚାରୀଙ୍କ ପରାମର୍ଶକ୍ରମେ ରାଜା ଶ୍ରୀସାକ୍ଷୀଗୋପାଳଙ୍କୁ ରତ୍ନଚିରା ନଦୀକୂଳରେ ଥିବା ପ୍ରାକୃତିକ ବକୁଳବନରେ ସ୍ଥାପନ କରିଥିଲେ। ଏହି ସ୍ଥାନ ପରବର୍ତ୍ତୀ ସମୟରେ ସାକ୍ଷୀଗୋପାଳ ଧାମ ଭାବେ ପ୍ରସିଦ୍ଧି ଲାଭ କଲା । କିପରି ମା’ ରାଧାରାଣୀଙ୍କ ଆବିର୍ଭାବ ହେଲା ସାକ୍ଷୀଗୋପାଳରେ? ଲୋକକଥା ଅନୁଯାୟୀ, ଶ୍ରୀକୃଷ୍ଣ ସାକ୍ଷୀଗୋପାଳ ରୂପେ ସତ୍ୟବାଦୀରେ ପୂଜା ପାଉଥିବାବେଳେ ତାଙ୍କ ପ୍ରିୟା ରାଧାରାଣୀ ବୃନ୍ଦାବନରେ ରହିଥିଲେ। ଉଭୟଙ୍କ ବିଚ୍ଛେଦକୁ ନେଇ ଏକ ଆଧ୍ୟାତ୍ମିକ କାହାଣୀ ପ୍ରଚଳିତ ରହିଛି ।

କିମ୍ବଦନ୍ତୀ କହେ, ସାକ୍ଷୀଗୋପାଳଙ୍କ ବଡ଼ପଣ୍ଡା ବେଲେଶ୍ୱର ମହାପାତ୍ରଙ୍କ ଘରେ ଲକ୍ଷ୍ମୀ ନାମରେ ରାଧାରାଣୀ ମାନବୀ ରୂପରେ ଜନ୍ମ ନେଇଥିଲେ। ପ୍ରଭୁ ସାକ୍ଷୀଗୋପାଳ ରାତିରେ ମନ୍ଦିରରୁ ବାହାରି ତାଙ୍କ ସହ ମିଳିତ ହେଉଥିବା କଥା ମଧ୍ୟ ଲୋକକଥାରେ ବର୍ଣ୍ଣିତ ଅଛି। ଏହି ଘଟଣାକୁ ନେଇ ରାଜାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା ଏବଂ ବଡ଼ପଣ୍ଡାଙ୍କୁ ଅଭିଯୋଗର ସାମ୍ନା କରିବାକୁ ପଡ଼ିଥିଲା। ଶେଷରେ ପ୍ରଭୁ ସ୍ୱପ୍ନାଦେଶ ଦେଇ ବଡ଼ପଣ୍ଡାଙ୍କୁ ନିର୍ଦ୍ଦୋଷ ବୋଲି କହିଥିବା ଏବଂ ରାଧାଙ୍କ ସ୍ମୃତିରେ ଏକ ସୁବର୍ଣ୍ଣ ପ୍ରତିମା ନିର୍ମାଣ କରିବାକୁ ରାଜାଙ୍କୁ ନିର୍ଦ୍ଦେଶ ଦେଇଥିବା କିମ୍ବଦନ୍ତୀ ରହିଛି।
ଏହାପରେ ମା’ ରାଧାରାଣୀଙ୍କ ବିଗ୍ରହ ସାକ୍ଷୀଗୋପାଳଙ୍କ ନିକଟରେ ପ୍ରତିଷ୍ଠା କରାଯାଇଥିଲା। ମା’ଙ୍କ ପାଦକୁ ବର୍ଷସାରା ବସ୍ତ୍ରରେ ଆବୃତ କରି ରଖିବାର ପରମ୍ପରା ମଧ୍ୟ ଏହି କାହାଣୀ ସହ ଜଡ଼ିତ ବୋଲି କୁହାଯାଏ। ପରବର୍ତ୍ତୀ ସମୟରେ ସେବାୟତମାନେ ନିଷ୍ପତ୍ତି ନେଲେ ଯେ କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ଦିନ ମା’ଙ୍କୁ ଓଡ଼ିଆଣୀ ବେଶରେ ସଜ୍ଜିତ କରାଯିବ ଏବଂ ଭକ୍ତଙ୍କୁ ଶ୍ରୀପାଦ ଦର୍ଶନର ସୁଯୋଗ ଦିଆଯିବ।
ଏହି ଦିନ ମା’ଙ୍କୁ ଖଣ୍ଡୁଆ ପାଟବସ୍ତ୍ର, କିରୀଟ, ପାଉଁଜି, ଝୁଣ୍ଟିଆ, କୁଣ୍ଡଳ, ଚାପସରି, ସେବତୀ ହାର, ନୋଥ, ଗୁଣା ଓ ଅଁଳା ହାରରେ ସଜ୍ଜିତ କରାଯାଏ। ସେହିପରି ପ୍ରଭୁ ସାକ୍ଷୀଗୋପାଳଙ୍କୁ ଚନ୍ଦନ ଚର୍ଚ୍ଚିତ କରାଯାଇ ସ୍ୱର୍ଣ୍ଣ କିରୀଟ ଓ ବଂଶୀ ସହ ନଟବର ବେଶରେ ସଜାଯାଏ। ଏମିତି ଏକ ଅନନ୍ୟ ପରମ୍ପରା, ଅଗାଢ଼ ଭକ୍ତି ଓ ଅସୀମ ଆସ୍ଥାର ପ୍ରତୀକ ହେଉଛି ସାକ୍ଷୀଗୋପାଳର ଅଁଳା ନବମୀ। ବର୍ଷକରେ ମାତ୍ର ଗୋଟିଏ ଦିନ ମିଳୁଥିବା ଏହି ଦୁର୍ଲଭ ରାଧାପାଦ ଦର୍ଶନ ପାଇଁ ଆଜି ସାରା ସାକ୍ଷୀଗୋପାଳ ଧାମ ରାଧାମୟ ଓ କୃଷ୍ଣମୟ ହୋଇଉଠିଛି। ଭକ୍ତଙ୍କ ମୁହଁରେ ଗୋଟିଏ ନାମ, ରାଧେ ରାଧେ।




