ଜଳୁଛି ପଶ୍ଚିମ ଓଡିଶା, ଜୁନ ୨ଯାଏଁ ତାତି ଅସମ୍ଭାଳ
ଭୁବନେଶ୍ୱର : ପ୍ରଚଣ୍ଡ ରୋୖଦ୍ରରେ ଅଗ୍ନି ପିଣ୍ଡୁଳା ପାଲଟିଛି ସାରା ରାଜ୍ୟ । ଦିନ କଥା ଛାଡ଼ନ୍ତୁ ରାତିର ତାତି ମଧ୍ୟ ଭୟଙ୍କର ହେଲାଣି । ସକାଳ ନ ପାହୁଣୁ ଆକାଶରୁ ହେଉଛି ଅଗ୍ନି ବର୍ଷା । ଡହଡହ ତାତିରେ ସବୁ ଆଡେ ଖାଁ ଖାଁ ଦେଖା ଯାଉଛି । ଦିନ ପରେ ଦିନ ଗଡୁଛି କିନ୍ତୁ ତାତିରେ ଲାଗୁନି ବ୍ରେକ। ଗୋଟିଏ ଦୁଇଟି ସ୍ଥାନକୁ ବାଦ ଦେଲେ ରାଜ୍ୟରେ କାଳ ବୈଶାଖୀ କିମ୍ବା ଲଘୁଚାପ ବର୍ଷାର ଦେଖା ଦର୍ଶନ ନାହିଁ । ଲାଗୁଛି ଯେମିତି ସତେକି କୋପ କରିଛନ୍ତି ସୂର୍ଯ୍ୟ ଦେବତା । ତେବେ ଆସନ୍ତା ଜୁନ୍ ୨ ଯାଏଁ ହିଟୱେଭ୍ ଜାରି ରହିବ ବୋଲି ସତର୍କତା ଜାରି କରିଛି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । ବିଶେଷକରି ପଶ୍ଚିମ ଓଡ଼ିଶାର ସ୍ଥିତି ଅସମ୍ଭାଳ ହେବ ବୋଲି ସତର୍କ କରିଛି । ଝାରସୁଗୁଡା, ସୁନ୍ଦରଗଡ଼, ବଲାଙ୍ଗୀର, ସମ୍ବଲପୁର, କେନ୍ଦୁଝର, ବଲାଙ୍ଗୀର ପରି ଖଣିଜ ଅଞ୍ଚଳରେ ଉତ୍କଟ ହେବ ସ୍ଥିତି । ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଗ୍ରୀଷ୍ମ ପ୍ରବାହ ଦିଶେନି, ହେଲେ ଅନୁଭବ ହୁଏ।
ଏଥିରୁ ରକ୍ଷା ପାଇବାକୁ ଭ୍ରାମ୍ୟମାଣ ହିଟୱେଭ୍ ଶେଲଟର ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଅସ୍ଥାୟୀ ଭ୍ରାମ୍ୟମାଣ ହିଟୱେଭ ଶେଲଟର ନିର୍ମାଣ ହେବ। ଝାରସୁଗୁଡା NH 49ରେ ଅସ୍ଥାୟୀ ହିଟୱେଭ ଶେଲଟର ନିର୍ମାଣ ହୋଇଛି। ସ୍ଥାୟୀ ହିଟୱେଭ ଶେଲଟର ପାଇଁ ଡିଜାଇନ ପ୍ରସ୍ତୁତ ସରିଲାଣି। ଆସନ୍ତା ବର୍ଷ ଖରା ଦିନ ପୂର୍ବରୁ ସ୍ଥାୟୀ ହିଟୱେଭ ଶେଲଟର ନିର୍ମାଣ କାମ ସରିବ। ଏହି ଶେଲଟରକୁ ବହୁମୁଖୀ କରିବାକୁ ବି ଯୋଜନା ରହିଛି। ଗ୍ରୀଷ୍ମ ଦିନରେ ହିଟୱେଭ ଶେଲଟର ଓ ଅନ୍ୟ ସମୟରେ ଅଲଗା କାମରେ ବ୍ୟବହାର ହୋଇ ପାରିବ। ସେହିପରି ଅଂଶୁଘାତ ଜନିତ ମୃତ୍ୟୁକୁ ନେଇ ମନ୍ତ୍ରୀ କହିଛନ୍ତି ଯେ, ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରି ଅଂଶୁଘାତରେ ତିନୋଟି ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଏ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରୁ ସୂଚନା ପ୍ରଦାନ କରାଯାଇଛି । ମୃତକ ୩ ଜଣ ହେଲେ ସୁବର୍ଣ୍ଣପୁର, ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲ୍ଲାର । ତେବେ ହିଟ୍ୱେଭରେ ୨୨ ଜୀବନ ଯାଇଥିବା ଅଭିଯୋଗ ହୋଇଥିଲା ।



