ବଦଳିଲା ପାଗ, ୨୦ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା
ଭୁବନେଶ୍ୱର : ତାତିରେ ସାରା ରାଜ୍ୟ ସିଝୁଥିବାବେଳେ ଏବେ ସାମାନ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଲଗାତାର ଦୁଇ ସପ୍ତାହ ଧରି ଜାରି ରହିଥିବା ଗ୍ରୀଷ୍ମ ପ୍ରକୋପ ପରେ ମଙ୍ଗଳବାରଠାରୁ ରାଜ୍ୟରେ ପାଣିପାଗରେ ବଡ଼ ପରିବର୍ତ୍ତନ ଆସିବା ନେଇ ବିଭାଗ ଆକଳନ କରିଛି। ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ଆଗାମୀ ପ୍ରାୟ ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିବ। ଆସନ୍ତା ୨୯ ଓ ୩୦ତାରିଖ ବେଳକୁ ସର୍ବାଧିକ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି । କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ଓ କୁଆପଥର ସହ ବର୍ଷା ହୋଇପାରେ । ତଥାପି ଉପକୂଳ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ସ୍ଥିତି ରହିବ । ତେବେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାତି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବା ଝାରସୁଗୁଡ଼ା, ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ନୟାଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି।
ଗତ ୨୬ ଓ ୨୭ ତାରିଖରେ ରାଜ୍ୟରେ ଭୀଷଣ ଅଗ୍ନିଵର୍ଷା ସତ୍ତ୍ୱେ ପବନ ମାଡ଼ରେ ପାଗ ସାମାନ୍ୟ ଆଶ୍ବସ୍ତିକର ଥିଲା । ସେହିପରି ରାତିରେ ମଧ୍ୟ ଥଣ୍ଡା ପବନ ସାଙ୍ଗକୁ ରାତିର ତାପମାତ୍ରାକୁ କିଛି ମାତ୍ରାରେ ହ୍ରାସ କରିଥିଲା ।
ଆଜି ଗ୍ରୀଷ୍ମ ପ୍ରବାହ ନେଇ ଝାରସୁଗୁଡା, ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ନୟାଗଡ, ସୁବର୍ଣ୍ଣପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପୂର୍ବାହ୍ଣରେ ତାତି ଆଉ ଅପରାହ୍ଣରେ କାଳବୈଶାଖୀ ଯୋଗୁ ଗରମରୁ ସାମାନ୍ୟ ଆଶ୍ବସ୍ତି ପାଉଛନ୍ତି ଲୋକେ ।
ସେହିପରି ,ମୟୂରଭଞ୍ଜ, ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ନେଇ ଆଶଙ୍କା ରହିଛି । ଆସନ୍ତାକାଲି ପାଇଁ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର ଆଦି ୨୦ଟି ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ୧୭ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାରେ ଘଡଘଡି ସବ ବର୍ଷା ସମ୍ଭାବନା ରହିଛି ।



