୪ ଜିଲ୍ଲା ପାଇଁ ସତର୍କ ସୂଚନା
ଭୁବନେଶ୍ୱର : ଏପ୍ରିଲ ମାସ ଆରମ୍ଭରୁ ଜନଜୀବନକୁ ଅସ୍ତବ୍ୟସ୍ତ କଲାଣି ଗରମ ଓ ଗୁଳୁଗୁଳି । ମାର୍ଚ୍ଚ ଅଧାଅଧି ବେଳକୁ ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଦେଖାଦେଇଥିଲା । ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବା ସହ ଅତ୍ୟଧିକ ଗରମ ବଢିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ପାଇଁ ଉପକୂଳ ଓଡ଼ିଶାର ୪ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ସେହିପରି ଆସନ୍ତା ୩ ଦିନ ପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ସମେତ ୪ଟି ଜିଲ୍ଲାରେ ଭୀଷଣ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି । ଏଥିପାଇଁ ‘ହିଟ୍ ଆଣ୍ଡ ହ୍ୟୁମିଡିଟି’ ୱାର୍ଣ୍ଣିଂ ଜାରି କରି ସତର୍କ କରାଇଛି ପାଣିପାଗ ବିଭାଗ ।
ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଖରା ହେଉଥିବା ବେଳେ ଉପକୂଳ ଓଡ଼ିଶାରେ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିଥିବାରୁ ଗରମ ଦୁଇଗୁଣା ଅନୁଭବ ହେଉଛି । ରାଜଧାନୀ ଭୁବନେଶ୍ୱରରେ ଆଜି ଆର୍ଦ୍ରତା ୫୩ ପ୍ରତିଶତ ରହିଥିବାରୁ ସକାଳ ୧୦ଟା ପରେ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ୁଛି । କେବଳ ଉପକୂଳ ନୁହେଁ, ବରଂ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଛି । ମାତ୍ରାଧିକ ଆର୍ଦ୍ରତା ଯୋଗୁଁ ଝାଳ ବୋହିବା ସହ ଶରୀରରେ କ୍ଲାନ୍ତି ଅନୁଭବ ହେଉଛି ।



