ରଥ ଯାତ୍ରା ପାଇଁ ଟୋଲ ଫି' ଛାଡ଼, ଶ୍ରଦ୍ଧାଳୁଙ୍କ ପାଇଁ 'ଇଭି' ବ୍ୟବସ୍ଥା
ଭୁବନେଶ୍ୱର : ରାଜ୍ୟ ସରକାର ଓ ପରିବହନ ବିଭାଗ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ଖୁସି ଖବର। ରଥଯାତ୍ରା, ଗୁଣ୍ଡିଚା ଯାତ୍ରା ଓ ସୁନାବେଶ ଦିନ ସମସ୍ତ ପ୍ରକାର ଗାଡ଼ି ପାଇଁ ଟୋଲ ଫି ଛାଡ଼ କରାଯିବ। ବିଶେଷକରି ପିପିଲି ଟୋଲ ଗେଟ୍ରେ ଏହି ଦିନଗୁଡ଼ିକରେ କୌଣସି ଟୋଲ ଟିକସ ଆଦାୟ ହେବ ନାହିଁ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଆଖିଆଗରେ ରଖି ପରିବହନ କମିଶନର ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ଦିନମାନଙ୍କ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପାଖାପାଖି ହଜାରେ ବସ ଚଳାଚଳ ପାଇଁ ବ୍ୟବସ୍ଥା କରଯାଇଛି ।
ସେହିପରି ଏହି ଦିନ ମାନଙ୍କରେ ବସ ଷ୍ଟାଣ୍ଡମାନରେ ଯାତ୍ରୀଙ୍କ ପାଇଁ ମାଗଣା ଖାଇବା ବ୍ୟବସ୍ଥା ସହ ବସ୍ ଷ୍ଟାଣ୍ଡରୁ ଶ୍ରୀମନ୍ଦିର ପର୍ଯନ୍ତ ଇଲେକ୍ଟ୍ରିକ ଗାଡି ର ବ୍ୟବସ୍ଥା ବି କରାଯାଇଛି । ପୁରୀର ବିଭିନ୍ନ ପାର୍କିଂ ସ୍ଥଳରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଆଣିବା ପାଇଁ ୪୦୦ଟି ଇଭି ଗାଡ଼ି ଯୋଗାଇ ଦିଆଯିବ।
ବାହାର ରାଜ୍ୟର ଏବଂ ପର୍ଯ୍ୟଟକ ବସ୍ ଗୁଡ଼ିକ ମାଳତୀପାଟପୁର ବସ୍ ଟର୍ମିନାଲ୍ ପର୍ଯ୍ୟନ୍ତ ଆସିବ। ନିୟମିତ ଚାଲୁଥିବା ବସ୍ ଗୁଡ଼ିକ ତାଳବଣିଆ ଯିବ। ରଥ ଯାତ୍ରା ପାଇଁ ନିମନ୍ତେ ସୁରୁଖୁରୁରେ ଗାଡ଼ି ପରିଚାଳନା ପାଇଁ RTO -୧ ଠାରେ ବୈଠକ ଅନୁଷ୍ଠିତ ହୋଇଯାଇଛି।
ସେପଟେ ଯାତ୍ରୀମାନଙ୍କ ସୁବିଧା ପାଇଁ ସମସ୍ତ ବସରେ ORS ଓ ପାନୀୟ ବ୍ୟବସ୍ଥା ରଖାଯିବ। ମାଳତିପାଟପୁର ଓ ତାଳବଣିଆଠାରେ ବସ୍ ଓ ଅନ୍ୟାନ୍ୟ ଗାଡ଼ି ରଖିବା ପାଇଁ ବ୍ୟବସ୍ଥା କରାଯିବ। ସ୍ଥାନେ ସ୍ଥାନେ ଏନଫୋର୍ସମେଣ୍ଟ ସ୍କ୍ବାଡ ରଖାଯିବା ସହିତ କୌଣସି ଗାଡ଼ି ବ୍ରେକଡାଉନ୍ ହେଲେ ତାହାକୁ ବ୍ୟବସ୍ଥାପିତ ପାଇଁ କ୍ରେନ୍ ରଖାଯିବ।




