ସ୍ୱାଧୀନତା ଦିବସରେ ରାଷ୍ଟ୍ରପତି ସମ୍ମାନରେ ସମ୍ମାନିତ ହେବେ ଦୃଷ୍ଟି ବାଧିତ ପ୍ରଫେସର କାମାକ୍ଷା ପ୍ରସାଦ ଦାଶ

୧୨ଟି ସାହିତ୍ୟ ପୁସ୍ତକ ରଚନା କରି ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରସ୍କୃତ ହୋଇଛନ୍ତି

ସ୍ୱାଧୀନତା ଦିବସରେ ରାଷ୍ଟ୍ରପତି ସମ୍ମାନରେ ସମ୍ମାନିତ ହେବେ ଦୃଷ୍ଟି ବାଧିତ ପ୍ରଫେସର କାମାକ୍ଷା ପ୍ରସାଦ ଦାଶ
Samaya Live News Picture
Published On

ରାୟଗଡ଼ା : ଚଳିତ ବର୍ଷ ଏମପାୱରମେଣ୍ଟ୍ ଅଫ୍ ଇନକ୍ଲୁସିଭ୍ ଏଜୁକେସନ ପାଇଁ ରାଷ୍ଟ୍ରପତି ସମ୍ମାନରେ ସମ୍ମାନିତ ହେବେ ରାୟଗଡା ଗୌତମ ନଗର ଅଞ୍ଚଳର ଦୃଷ୍ଟିବାଧିତ ପ୍ରଫେସର କାମାକ୍ଷା ପ୍ରସାଦ ଦାଶ । ସେ ବିନା ଆଖିରେ ଦୁନିଆକୁ ଆଲୋକିତ କରୁଛନ୍ତି । ଅନେକ ଦୃଷ୍ଟିବାଧିତ ପିଲାଙ୍କୁ ଦେଖାଉଛନ୍ତି ରାସ୍ତା । ଏନେଇ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରୁ ତାଙ୍କୁ ନିମନ୍ତ୍ରଣ ପତ୍ର ଆସିଛି । ଆସନ୍ତା ସ୍ୱାଧୀନତା ଦିବସରେ ସେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସମ୍ବର୍ଦ୍ଧିତ ହେବେ। 

ପ୍ରଫେସର କାମାକ୍ଷା ପ୍ରସାଦ ଦାଶ ଯେତେବେଳେ ଦୁନିଆ ଦେଖିବା ଆରମ୍ଭ କରିଥିଲେ ସେତେବେଳେ ସେ ନିଜର ଦୃଷ୍ଟିଶକ୍ତି ହରାଇବସିଥିଲେ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଜନ୍ମ ଗ୍ରହଣ କରିଥିବା କାମାକ୍ଷା ପ୍ରସାଦ  ମାତ୍ର ୭ବର୍ଷ ବୟସରେ ନିଜର ଦୁଇଟି ଆଖି ହରାଇଥିଲେ । କିନ୍ତୁ ସେ କେବେ ହାରି ଯାଇନଥିଲେ । ସେହି ଅନ୍ଧ ଆଖିରେ ଦୁନିଆକୁ ଦେଖିବାକୁ ଚେଷ୍ଟା କରିଥିଲେ । ପ୍ରଥମେ ପାରଳାଖେମୁଣ୍ଡି, ପରେ ବ୍ରହ୍ମପୁର ଓ ଭୁବନେଶ୍ୱରରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ଏହା ପରେ ଓଡ଼ିଶା ସରକାରଙ୍କ ସମାବେଶୀ ଶିକ୍ଷାର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । 

ଦୃଷ୍ଟିବାଧିତ ପିଲାମାନଙ୍କୁ କିପରି ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବ ସେନେଇ ଅନେକ ପଦକ୍ଷେପ ନେଇଥିବା ବେଳେ ଦୃଷ୍ଟିବାଧିତ ଆଦିବାସୀ ପିଲାଙ୍କ ପାଇଁ କାମ କରିଛନ୍ତି। ସେହିପରି ଦୃଷ୍ଟିହୀନ ହୋଇ ଭଗବତ ଗୀତାର ଅନେକ ସ୍ଲୋକ ନିର୍ଭୁଲଭାବେ ଉଚ୍ଚାରଣ କରିପାରନ୍ତି । ସେହିପରି ସାହିତ୍ୟ ପ୍ରତି ମଧ୍ୟ ତାଙ୍କ ରୁଚି ରହିଛି । ‘ଆଜିର ଆହ୍ୱାନ’, ‘ଆତ୍ମ ଦର୍ପଣ’, ‘ପରିଧି’ ଓ ‘ସତ୍ୟ ଖୋଜିବା ଚାଲ’ ପରି ପ୍ରାୟ ୧୨ଟି ସାହିତ୍ୟ ରଚନା କରି ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରସ୍କୃତ ହୋଇଛନ୍ତି । ସେଥିପାଇଁ ‘ସୁରଭି ଗୌରବ’ ଓ ‘ସୁରଭି ରତ୍ନ’ ସହ ଅନେକ ସରକାରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । 

ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ଆସିବା ପରେ ପ୍ରଫେସର ଦାଶ କୃତଜ୍ଞତା ଜଣାଇଛନ୍ତି । ସେ ଏହାକୁ ନେଇ ବହୁତ ଖୁସି ଅନୁଭବ କରିଛନ୍ତି । 

Tags: