ସ୍କୁଲ ହଷ୍ଟେଲରେ ରାଗିଂ ଘଟଣା , ୭ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ବହିଷ୍କାର
ରାୟଗଡ଼ା : ରାୟଗଡ଼ା ଜିଲ୍ଲାର କୋଲନରା ବ୍ଲକ୍ ଅନ୍ତର୍ଗତ ରିବଲକଣା ଏସଏସଡି ହଷ୍ଟେଲରେ ରାଗିଂ ଘଟଣା ଇ କଠୋର ଜର୍ଯ୍ୟନୁଷ୍ଠାନ ନେଇଛି ଜିଲ୍ଲା ପ୍ରଶାସନ । ୭ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲ କର୍ତ୍ତୃପକ୍ଷ ବହିଷ୍କାର କରିଛନ୍ତି । ଏହା ସହ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବିଳମ୍ବିତ ରାତିରେ ହଷ୍ଟେଲରେ ରହୁଥିବା ୮ମ ଏବଂ ୯ମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଏବଂ ଆକ୍ରମଣ କରି ଥିଲେ କିଛି ୧୦ମ ଶ୍ରେଣୀ ପିଲା । ସୋସିଆଲ ମିଡିଆରେ ଏହି ଆକ୍ରମଣର ଭିଡିଓ ଭାଇରାଲ ହେବା ପରେ କର୍ତ୍ତୃପକ୍ଷ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ସୂଚନା ଅନୁସାରେ, ରବିବାର ରାତିରେ ହଷ୍ଟେଲ ପରିସରରେ ଏହି ଘଟଣା ଘଟିଥିଲା । ନବମ ଶ୍ରେଣୀର କିଛି ଛାତ୍ର ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ବିରୋଧରେ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ଶିକ୍ଷକଙ୍କ ତାଗିଦ ପରେ ସମ୍ପୃକ୍ତ ଛାତ୍ର ଉତ୍ତେଜିତ ହୋଇ ନିଜର କିଛି ସହପାଠୀଙ୍କ ସହ ମିଶି ନବମ ଶ୍ରେଣୀର ୨୭ ଜଣ ଅନ୍ତେବାସୀ ଛାତ୍ରଙ୍କୁ ଅମାନବିକ ଭାବେ ପ୍ରହାର କରିଥିବା ଅଭିଯୋଗ ହୋଇଛି ।
ମାଡ଼ ମାରିବାର ଭିଡିଓ ଭାଇରାଲ ହେବା ପରେ ବୁଧବାର ଦିନ ୧୦୦ରୁ ଅଧିକ ଅଭିଭାବକ ସ୍କୁଲ ପରିସରରେ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନେ ଘଟଣାରେ ସମ୍ପୃକ୍ତ ଛାତ୍ରମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ ସହିତ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ତୁରନ୍ତ ବଦଳି ଦାବି କରିଥିଲେ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଚାନ୍ଦିଲି ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ (DWO) ଅସୀମା ରାଓ ଓ ଅନ୍ୟାନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଅଭିଭାବକମାନଙ୍କୁ ବୁଝାସୁଝା କରି ଶାନ୍ତ କରିଥିଲେ । ଘଟଣା ପରେ କୋଲନରା ବିଡିଓ ରୀନା ପ୍ରଧାନ ବିଦ୍ୟାଳୟରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ । ତାଙ୍କ ରିପୋର୍ଟ ଆଧାରରେ ଜିଲ୍ଲା ପ୍ରଶାସନ ଏହି କଠୋର ପଦକ୍ଷେପ ନେଇଛି । ସେପଟେ ପୋଲିସ ମଧ୍ୟ ସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀଙ୍କ କାଉନସେଲିଂ କରିବା ସହ ଘଟଣାର ସମସ୍ତ ଦିଗରେ ତଦନ୍ତ ଚଳାଇଛି ।




