୨୮ରେ ପୁଣି ବିକ୍ରମ ପଣ୍ଡାଙ୍କୁ ଜେରା
ବ୍ରହ୍ମପୁର : ବହୁଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ପୁଣି ଥରେ ଜେରାର ସମ୍ମୁଖୀନ ହେବେ ଜାମିନରେ ଆସିଥିବା ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡା । ସାକ୍ଷୀଂକୁ ଧମକଚମକ ଓ ପ୍ରଲୋଭିତ କରିବା ଅଭିଯୋଗରେ ଆସନ୍ତା ଅକ୍ଟୋବର ୨୮ତାରିଖରେ ତାଙ୍କୁ ଜେରା କରାଯିବ । ବ୍ରହ୍ମପୁରର ଗୋଷାଣୀ ନୂଆଗାଁ ଥାନା ପୁଲିସ ତାଙ୍କୁ ଏହି ସମନ ଜାରି କରିଛି । ଏହି ମାମଲାରେ ପୁଲିସ ଅଡିଓ ରେକର୍ଡିଂ, ମୋବାଇଲ୍ ଓ ସିସିଟିଭି ଫୁଟେଜ୍କୁ ନେଇ ତଦନ୍ତ କରୁଛି ।
ଏହି ମାମଲାରେ ସେ ଦ୍ୱିତୀୟ ଥର ପାଇଁ ସେ ପୋଲିସ ଜେରାର ସମ୍ମୁଖୀନ ହୋଇ ସାରିଛନ୍ତି। ପ୍ରଥମେ ଗତ ଅକ୍ଟୋବର ୬ ତାରିଖରେ ପୁଲିସ ତାଙ୍କୁ ପ୍ରାୟ ୪ ଘଣ୍ଟା ଧରି ଜେରା କରିଥିବା ବେଳେ, ପରବର୍ତ୍ତୀ ସମୟରେ ପୁଣି ଥରେ ଥାନାରେ ପ୍ରାୟ ଦେଢ଼ ଘଣ୍ଟା କାଳ ପଚରାଉଚରା କରାଯାଇଛି।
ସୂଚନାନୁସାରେ, ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଗିରଫ ହୋଇଥିବା ବିଜେଡି ନେତା ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ମଦନ ଦଳାଇ ଓ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ଫୋନ୍ ରେ ବାରମ୍ବାର ଫୋନ କଲ କରି ସାକ୍ଷୀଙ୍କୁ କେତେବେଳେ ଧମକ ଦେବା ସହ ପ୍ରଲୋଭନ ଦେଖାଇଥିବା ନେଇ ସାକ୍ଷୀଙ୍କ ଦ୍ୱାରା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କୁ ପ୍ରାୟ ତିନିଘଣ୍ଟାର ଜେରା ପରେ ଡାକ୍ତର ସବୁ ସତ ମାନିଥିଲେ। ତେଣୁ ସାକ୍ଷୀଙ୍କୁ ଧମକ ଦେବାରେ ସହଯୋଗ ଅଭିଯୋଗରେ ରାଜ୍ୟ ସରକାର ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନିଲମ୍ବନ କରିଥିଲେ | ଏହି ଘଟଣାରେ ପୁଲିସ ଅଡିଓ ରେକର୍ଡିଂ, ମୋବାଇଲ୍ ଫୋନ୍ ଏବଂ ସିସିଟିଭି ଫୁଟେଜ୍ ଆଦି ଯାଞ୍ଚ କରୁଛି। ତେଣୁ ଅଧିକ ତଦନ୍ତ ପାଇଁ ଆସନ୍ତା ୨୮ ତାରିଖରେ ତାଙ୍କୁ ପୁଣି ହାଜର ହେବାକୁ କୁହାଯାଇଛି ।




