ବିଧାୟକଙ୍କ ପ୍ରଶିକ୍ଷଣ ଶିବିର ଉଦ୍ଘାଟନ କଲେ ଉପରାଷ୍ଟ୍ରପତି
ଭୁବନେଶ୍ୱର : ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ । ଆଜି ସେ ଭୁବନେଶ୍ୱରଠାରେ ଆୟୋଜିତ ଓଡ଼ିଶା ବିଧାନସଭା ସଦସ୍ୟମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ତଥା ଓରିଏଣ୍ଟେସନ୍ ଶିବିରକୁ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମଟି କୌଣସି ନିର୍ଦ୍ଦିଷ୍ଟ ଦଳର ନୁହେଁ, ବରଂ ଓଡ଼ିଶା ବିଧାନସଭା ପକ୍ଷରୁ ସମସ୍ତ ବିଧାୟକଙ୍କ ପାଇଁ ଆୟୋଜିତ ହୋଇଛି, କିନ୍ତୁ ବିରୋଧୀ ଦଳଙ୍କ ବର୍ଜନ ଯୋଗୁଁ ଏଥିରେ ମୁଖ୍ୟତଃ ବିଜେପି ବିଧାୟକମାନେ ହିଁ ଯୋଗ ଦେଇଛନ୍ତି ।
ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଏହି ଦିନିକିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା । ଏହାକୁ ଆନୁଷ୍ଠାନିକ ଭାବରେ ଉପରାଷ୍ଟ୍ରପତି ଉଦ୍ଘାଟନ କରିଛନ୍ତି । ଏହି ଉତ୍ସବରେ ମାନ୍ୟବର ରାଜ୍ୟପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଏହିସମୟରେ ବିଧାୟକମାନଙ୍କୁ ସମ୍ବୋଧିତ କରି ଉପରାଷ୍ଟ୍ରପତି ଗୃହର କାର୍ଯ୍ୟଧାରାକୁ ହାଲୁକା ଭାବେ ନନେବାକୁ ପରାମର୍ଶ ଦେଇଛନ୍ତି । ବିଧାନସଭାରେ ବିଧାୟକମାନଙ୍କର ପ୍ରଶ୍ନ ଓ ସକ୍ରିୟ ଅଂଶଗ୍ରହଣ ଓଡ଼ିଶାର ବିକାଶ ଏବଂ ଗଣତାନ୍ତ୍ରିକ ପରମ୍ପରାକୁ ସୁଦୃଢ଼ କରିବାରେ ସହାୟକ ହେବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି ।
ଏହି ଶିବିରରେ ବିଧାନସଭାର କାର୍ଯ୍ୟପ୍ରଣାଳୀ, ସଂସଦୀୟ ପରମ୍ପରା, ବିଭିନ୍ନ ବିଧାନସଭା କମିଟିର ଭୂମିକା ଏବଂ ରାଜ୍ୟ ବଜେଟ୍ ଓ ଆର୍ଥିକ ବ୍ୟାପାର ସମ୍ପର୍କରେ ବିଶେଷଜ୍ଞମାନେ ବିଧାୟକମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି । ତେବେ ବିଧାନସଭା ପକ୍ଷରୁ ଆୟୋଜିତ ଏହି ସରକାରୀ ପ୍ରଶିକ୍ଷଣ ଶିବିରକୁ ଉଭୟ ମୁଖ୍ୟ ବିରୋଧୀ ଦଳ ବିଜେଡି (BJD) ଏବଂ କଂଗ୍ରେସ ବର୍ଜନକରିଥିବା ସୂଚନା ମିଳିଛି ।
ଅନ୍ୟପଟେ, ଆଜିର କାର୍ଯ୍ୟକ୍ରମ ପରେ ଉପରାଷ୍ଟ୍ରପତି କଟକ ସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର 'ଆଇକନିକ୍ ଟାୱାର' ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।




