ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ
Samaya Live News Picture
Published On

ଭୁବନେଶ୍ୱର : ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ। ନଭେମ୍ବର ୧୫ ଏବଂ ୧୬ତାରିଖ  ତାଙ୍କର ଦୁଇଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଗସ୍ତ ସମୟରେ ନଭେମ୍ବର ୧୬ ତାରିଖରେ ଓଡ଼ିଶା ବିଧାନସଭାରେ ନବନିର୍ବାଚିତ ବିଧାୟକଙ୍କ ପାଇଁ ଆୟୋଜିତ ସ୍ୱତନ୍ତ୍ର ତାଲିମ ଓ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମକୁ ସେ ଉଦ୍‌ଘାଟନ କରିବେ । 

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନବନିର୍ବାଚିତ ବିଧାୟକ, ବିଶେଷକରି ପ୍ରଥମ ଥର ପାଇଁ ବିଧାନସଭାକୁ ଆସିଥିବା ବିଧାୟକମାନଙ୍କୁ ବିଧାନସଭାର କାର୍ଯ୍ୟପ୍ରଣାଳୀ, ସାମ୍ବିଧାନିକ ବ୍ୟବସ୍ଥା, ବିଧାନ ପ୍ରଣୟନ ପ୍ରକ୍ରିୟା ଏବଂ ଗୃହର ନିୟମାବଳୀ ସମ୍ପର୍କରେ ଅବଗତ କରାଇବା ।

ଏହାସହ ପ୍ରଶ୍ନକାଳରେ କିପରି ପ୍ରଭାବଶାଳୀ ଭାବେ ଭାଗ ନେବେ, ଜନସାଧାରଣଙ୍କ ଗୁରୁତ୍ୱପୂର୍ଣ୍ଣ ସମସ୍ୟା କିପରି ଗୃହରେ ଉଠାଇବେ ଏବଂ ଜଣେ ନିର୍ବାଚିତ ଜନପ୍ରତିନିଧି ଭାବେ ନିଜ ଦାୟିତ୍ୱ କିପରି ତୁଲାଇବେ, ସେନେଇ ମଧ୍ୟ ମାର୍ଗଦର୍ଶନ ଦିଆଯିବ।

ଉପରାଷ୍ଟ୍ରପତିଙ୍କ ସହ ଆଲୋଚନା ବିଧାୟକମାନଙ୍କୁ ସଂସଦୀୟ ପରମ୍ପରା, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାମ୍ବିଧାନିକ ଦାୟିତ୍ୱ ସମ୍ପର୍କରେ ଅଧିକ ଜ୍ଞାନ ଦେବ ବୋଲି ଆଶା କରାଯାଉଛି ।

ସୂଚନାନୁସାରେ, ନଭେମ୍ବର ୧୮ ତାରିଖରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟସୂଚୀ ରହିଛି । ଏହାର ଠିକ୍ ପୂର୍ବରୁ ନବନିର୍ବାଚିତ ବିଧାୟକଙ୍କ ପାଇଁ ଏଭଳି ତାଲିମ କାର୍ଯ୍ୟକ୍ରମକୁ ବେଶ୍ ଗୁରୁତ୍ୱ ଦିଆଯାଉଛି ।

ତେବେ ଉପରାଷ୍ଟ୍ରପତିଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଏଯାଏଁ ଚୂଡ଼ାନ୍ତ ହୋଇନାହିଁ। ଆଗାମୀ ଦିନରେ ଏନେଇ ବିସ୍ତୃତ ସୂଚନା ମିଳିବା ଆଶା କରାଯାଉଛି । 

Tags: