ବର୍ଷିଆନ ସଂଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ

ବର୍ଷିଆନ ସଂଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ
Samaya Live News Picture
Published On

ଭୁବନେଶ୍ୱର : ଓଡ଼ିଆ ସଂଗୀତ ଜଗତରୁ ଆସିଲା ଦୁଃଖଦ ଖବର । ଆଉ ନାହାନ୍ତି ପ୍ରସିଦ୍ଧ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ । ୮୮ ବର୍ଷ ବୟସରେ ଭୁବନେଶ୍ୱରରେ ତାଙ୍କର ପରଲୋକ ଘଟିଛି । ସେ ଗତ ୧୦ତାରିଖରୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ଦିନ ୧୧ଟା ସମୟରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି ।

ଓଡ଼ିଆ ସଙ୍ଗୀତ ଜଗତରେ ପ୍ରଣବ ପଟ୍ଟନାୟକ ଙ୍କର ଥିଲା ସ୍ୱତନ୍ତ୍ର ପରିଚୟ । ୧୯୩୮ମସିହା ଜାନୁଆରୀ ୨୦ରେ ଜନ୍ମିତ ପ୍ରଣବ ପଟ୍ଟନାୟକ ୧୯୫୮ମସିହାରେ ପ୍ରଥମ ଥର ପାଇଁ ମା' ଚଳଚ୍ଚିତ୍ର ରେ କଣ୍ଠଦାନ କରିଥିଲେ । ଏହାପରେ ୧୯୫୯ ମସିହା ଠାରୁ ଓଡ଼ିଆ ଚଳଚିତ୍ର ରେ ପ୍ରଚ୍ଛଦପଟ ଗାୟକ ଭାବରେ କ୍ୟାରିଅର ଆରମ୍ଭ କରିଥିଲେ । ସେ ଦୀର୍ଘ ୬ ଦଶନ୍ଧି ଧରି ସଂଗୀତ ଜଗତରେ ରାଜ କରିଥିଲେ । ସେ ଶ୍ରୀ ଲୋକନାଥ, ସୂର୍ଯ୍ୟମୁଖୀ, ସିନ୍ଦୂର ବିନ୍ଦୁ, ଶେଷ ଶ୍ରାବଣ, ଚିହ୍ନା ଅଚିହ୍ନା, ବତୀଘର ଆଦି ଚଳଚ୍ଚିତ୍ର ତାଙ୍କୁ ଲୋକପ୍ରିୟତାର ଶିଖରରେ ପହଞ୍ଚାଇଥିଲା । ଚଳଚ୍ଚିତ୍ର ଜୀବନରେ ସେ ବହୁ ଜାତୀୟ ସ୍ତର କଳାକାର ମାନଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି । ପ୍ରାୟ ୨୦୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଛନ୍ତି । ଭଜନ ଠାରୁ ଲୋକ ସଂଗୀତ ଯାଏଁ ନିଜର ମଧୁର କଣ୍ଠ ଓ ଅନନ୍ୟ ଗାୟନ ଶୈଳୀରେ ସେ ଶ୍ରୋତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ‘ମାଝିରେ ଠୁ’ଠାରୁ ‘ନିଝୁମ ରାତି’ ଭଳି ଅନେକ ଲୋକପ୍ରିୟ ଗୀତ ତାଙ୍କ କଣ୍ଠରେ ଜୀବନ୍ତ ହୋଇଥିଲା । ଦୀର୍ଘ ଦିନ ଧରି ଓଡ଼ିଆ ସଙ୍ଗୀତପ୍ରେମୀଙ୍କୁ ନିଜ ସୁରିଲା କଣ୍ଠରେ ମନୋରଞ୍ଜନ କରିଆସିଥିବା ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଗୀତ ଓ ସଙ୍ଗୀତ ପ୍ରତି ଅବଦାନ ସବୁବେଳେ ଶ୍ରୋତାଙ୍କ ମନରେ ସ୍ମରଣୀୟ ହୋଇ ରହିବ ।

 

 

Tags: