୨୩ ଓ ୨୪ ତାରିଖ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା
ଦକ୍ଷିଣ ଏବଂ ଉପକୂଳକୁ ଅଧିକ ବିପଦ
ଭୁବନେଶ୍ବର : ବଙ୍ଗୋପସାଗରରେ ଧୀରେ ଧୀରେ ଘନୀଭୂତ ହେଉଛି ଅବପାତ। ଗତ ୬ ଘଣ୍ଟାରେ ୧୭ କିମି ବେଗରେ ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରୁଛି। ଗୋପାଳପୁର ଓ ପୁରୀ ଠାରୁ ସମାନ ୨୨୦ କିମି ଦୂର, ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଠାରୁ ୨୦୦ କି.ମି. ପୂର୍ବ-ଦକ୍ଷିଣପୂର୍ବ ଏବଂ ବିଶାଖାପାଟଣା ଠାରୁ ୨୯୦ କି.ମି. ପୂର୍ବରେ ରହିଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ଗଭୀର ଅବପାତରେ ପରିଣତ ହେବାର ଅତ୍ୟଧିକ ସମ୍ଭାବନା ରହିଛି ।
ପରବର୍ତ୍ତୀ ସମୟରେ ମଧ୍ୟ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି ଜାରି ରଖି ଏହା ୨୩ ସେପ୍ଟେମ୍ବର ରାତି ବା ୨୪ ସେପ୍ଟେମ୍ବର ଭୋର ମଧ୍ୟରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା । ୨୩ ଓ ୨୪ ତାରିଖ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବାକୁ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ମଙ୍ଗଳବାର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏସବୁ ଜିଲ୍ଲା ଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ବର । ସେହିପରି ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ତେବେ ବୁଧବାର ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ବିଶେଷକରି କୋରାପୁଟ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ଣ୍ଣିଂ ଦିଆଯାଇଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ରହିପାରେ । ବଡ଼ ବର୍ଷାକୁ ଦୃଷ୍ଟିରେ ରଖି ମାଲକାନାଗିରି ଏବଂ ପୁରୀ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ମୁଖ୍ୟାଳୟ ନଛାଡ଼ିବାକୁ କର୍ମଚାରୀ ମାନଙ୍କୁ ନିର୍ଦେଶ ଦିଆଯାଇଛି । ମାଲକାନଗିରିରେ ସତିଗୁଡା ଏବଂ ବାଲିମେଳା ଜଳଭଣ୍ଡାରରେ ମାଛ ଧରିବା ପାଇଁ ବାରଣ କରାଯାଇଥିବା ବେଳେ ଜିଲ୍ଲାର ୪ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି ।




