ଜଣ୍ଡିସ ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟର ମିଡ୍-ସେମେଷ୍ଟର ପରୀକ୍ଷା ସ୍ଥଗିତ
କ୍ୟାମ୍ପସ ଭିତରକୁ ବାହାର ଖାଦ୍ୟ ମନା
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ରେ ମିଡ୍-ସେମେଷ୍ଟର ପରୀକ୍ଷା ସ୍ଥଗିତ । ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର ପରିସରରେ ଥିବା ଦୁଇଟି ମହିଳା ହଷ୍ଟେଲରେ ଜଣ୍ଡିସ ବ୍ୟାପିବା ଯୋଗୁଁ ମିଡ୍ ସେମିଷ୍ଟର ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ବିଶ୍ୱବିଦ୍ୟାଳୟର ୬ ଓ ୭ ନମ୍ବର ଲେଡିଜ୍ ହଷ୍ଟେଲରେ ଛାତ୍ରୀମାନେ ଝାଡ଼ାବାନ୍ତି ଓ ଜଣ୍ଡିସ୍ ରେ ଆକ୍ରାନ୍ତ ହେବା ପରେ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । ସ୍ନାତକୋତ୍ତର (PG) ପରିଷଦର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତି ଜାରି କରାଯାଇ ପରୀକ୍ଷା ତୁରନ୍ତ ସ୍ଥଗିତ ରଖାଯାଇଥିବା ନେଇ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ଗତ କିଛି ଦିନ ମଧ୍ୟରେ ୧୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଶେଷ କରି ୭ ନମ୍ବର ହଷ୍ଟେଲର ଦୁଇଜଣ ଛାତ୍ରୀ ଜଣ୍ଡିସ୍ ରୋଗରେ ପୀଡ଼ିତ ଥିବା ଜଣାପଡ଼ିବା ପରେ ଛାତ୍ରୀମାନଙ୍କ ମଧ୍ୟରେ ଭୟ ଖେଳିଯାଇଛି । ପାନୀୟ ଜଳ ଦୂଷିତ ହେବା ଯୋଗୁଁ ଏହି ସମସ୍ୟା ଉପୁଜିଥିବା ସନ୍ଦେହ କରାଯାଉଛି। ସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ର ଏକ ସ୍ୱତନ୍ତ୍ର ଟିମ୍ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ଟିମରେ ଏପିଡେମିଓଲୋଜିଷ୍ଟ, ମାଇକ୍ରୋବାୟୋଲୋଜିଷ୍ଟ ଓ ଖାଦ୍ୟ ସୁରକ୍ଷା ବିଶେଷଜ୍ଞ ସାମିଲ ଥିଲେ। ସେମାନେ ହଷ୍ଟେଲରୁ ଜଳ ଓ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ଏବଂ ଫାର୍ମାସୀ ସେବା ଆରମ୍ଭ କରାଯାଇଛି । ଛାତ୍ରୀମାନଙ୍କୁ ଦୈନିକ ୧୦୦୦ ଲିଟର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି ଏବଂ ପାଣି ଫୁଟାଇ ପିଇବାକୁ ପରାମର୍ଶ ଦିଆଯାଇଛି । ଜଣ୍ଡିସ ପାଇଁ ବାଣୀବିହାର କ୍ୟାମ୍ପସ ପରିସର ଭିତରକୁ ବାହାର ଖାଦ୍ୟ ପ୍ରବେଶ ଉପରେ କଟକଣା ଲଗାଯାଇଛି ।




