ଏମଏମଡିଆର କୁ ନେଇ ଗୃହରେ ହଙ୍ଗାମା, ୪ ଯାଏଁ ମୁଲତବୀ
ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭରୁ ଗୃହରେ ହଙ୍ଗାମା । ଶୋକ ପ୍ରସ୍ତାବ ପରେପରେ ଗୃହରେ ଦେଖାଦେଇଥିଲା ପ୍ରବଳ ହଟ୍ଟଗୋଳ । ଏମଏମଡିଆର ଓ ବହି ତ୍ରୁଟି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ । ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ନେଇ ବିଜେଡି ବିଧାୟକମାନେ ହୋହଲ୍ଲା କରିଥିବା ବେଳେ, ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବିରେ କଂଗ୍ରେସ ବିଧାୟକମାନେ ମଧ୍ୟ ପ୍ରତିବାଦ କରିଛନ୍ତି । ପ୍ଲାକାର୍ଡ ଧରି ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିବାରୁ ସୃଷ୍ଟି ହୋଇଥିଲା ହଟ୍ଟଗୋଳ ପରିସ୍ଥିତି।
ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଗୃହକାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିବାରେ ବାଧା ଉପୁଜିଥିଲା । ପରିସ୍ଥିତିକୁ ଦେଖି ବାଚସ୍ପତି ପ୍ରଥମେ ଗୃହକୁ ଅପରାହ୍ନ ୧ ଟା ୧୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ତେବେ ୧ଟା ୧୦ରେ ଗୃହ ପୁଣି ବସିବା ପରେ ମଧ୍ୟ ଚିତ୍ର ବଦଳିନଥିଲା । ଗୃହକାର୍ଯ୍ୟ ଆରମ୍ଭ ହେବାର ମାତ୍ର ୧ ମିନିଟ୍ ପରେ କଂଗ୍ରେସ ସଦସ୍ୟ ମାନେ ପୁଣି ହୋହଲ୍ଲା ଆରମ୍ଭ କରିଥିଲେ । ଫଳରେ ପୁଣି ଥରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।
ପରିସ୍ଥିତି ନିୟନ୍ତ୍ରଣକୁ ନ ଆସିବାରୁ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଫଳରେ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିଧାନସଭାରେ ଲଗାତାର ଦୁଇଥର ମୁଲତବୀ ହୋଇଛି ।




