ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପତ୍ର ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୋଳ ଜିଲ୍ଲାରେ କୋଇଲା ପରିବହନ ଏବଂ ଶିଳ୍ପ ଭିତ୍ତିଭୂମିକୁ ସଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି । ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ- ୬୩କୁ ୨ରୁ ଚାରି ଲେନ୍ କରିବା ସହ ଜନବସତି ଅଞ୍ଚଳରେ ବାଇପାସ ନିର୍ମାଣ ଏବଂ ଏନଏଚ- ୫୫ ଓ ରେଳ କରିଡରକୁ ସଂଯୋଗ କରୁଥିବା ଛେଣ୍ଡିପଦା-ଜରପଡ଼ା ଜିଲ୍ଲା ମୁଖ୍ୟ ରାସ୍ତାର ସମ୍ପ୍ରସାରଣ ପାଇଁ ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଅନୁଗୋଳ ଜିଲ୍ଲାର ଜନସଂଖ୍ୟା ପ୍ରାୟ ୧୫ ଲକ୍ଷ ଏବଂ ଏହା ରାଜ୍ୟର ମୋଟ ଘରୋଇ ଉତ୍ପାଦରେ ପ୍ରାୟ ୫ ପ୍ରତିଶତ ଅବଦାନ ଦେଉଛି । ଓଡ଼ିଶା ଅର୍ଥନୀତିରେ ଅନୁଗୋଳ ଜିଲ୍ଲା ବିଶେଷ ଭାବରେ ଯୋଗଦାନ ଦେଉଥିବା ବେଳେ ଆଗାମୀ ୨୦୩୩ ସୁଦ୍ଧା ଏଠାରେ କୋଇଲା ଉତ୍ପାଦନ ବାର୍ଷିକ ୨୫୦ରୁ ୩୦୦ ମିଲିୟନ ଟନ୍ କୁ ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି । ଏହି ଜିଲ୍ଲା ଇସ୍ପାତ, ଆଲୁମିନିୟମ ଏବଂ ତାପଜ ବିଦ୍ୟୁତ କେନ୍ଦ୍ର ଭଳି ଭାରୀ ଶିଳ୍ପ, ଉନ୍ନତ ବିନିର୍ମାଣ(Advanced Manufacturing) ଏବଂ ଆନୁସଙ୍ଗିକ ଏମଏସଏମଇ ଗୁଡ଼ିକ ପାଇଁ ଏକ ଉତ୍ତମ ବାତାବରଣ ତିଆରି କରୁଛି ।  ଅନୁଗୋଳରେ ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ, ଏନଟିପିସି  କଣିହାଁ, ତାଳଚେର ସୁପର ଥର୍ମାଲ ପାୱାର ଷ୍ଟେସନ ଏବଂ ମହାନଦୀ କୋଲଫିଲ୍ଡସ ଲିମିଟେଡର  ବ୍ୟାପକ କୋଇଲା ଖଣି ଭଳି ପ୍ରମୁଖ ଶିଳ୍ପ ଓ ଶକ୍ତି କେନ୍ଦ୍ରଗୁଡ଼ିକ ରହିଛି, ଯାହା ରାଜ୍ୟର ଶକ୍ତି ନିରାପତ୍ତାର ମେରୁଦଣ୍ଡ ସାଜିଛି । ଜିଲ୍ଲାକୁ ଯୋଗାଯୋଗ ଓ ପରିବହନ ନେଇ ଉତ୍ତମ ପଦକ୍ଷେପ ଦ୍ୱାରା ସାଧାରଣ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିବା ସହ ଅଞ୍ଚଳରେ କୋଇଲା ଓ ଶିଳ୍ପ ପରିବହନ ସହଜ ହେବ ଏବଂ ସ୍ଥାନୀୟ ଅଞ୍ଚଳରେ ସାମାଜିକ ଓ ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Tags: