ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Samaya Live News Picture
Published On

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚିଠି ମାଧ୍ୟମରେ ସେ ରାଜ୍ୟରେ ପଛୁଆ ବର୍ଗ ଆୟୋଗକୁ ତୁରନ୍ତ ପୁନର୍ଗଠନ ପାଇଁ ଅନୁରୋଧ କରିଛନ୍ତି  । ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ କାର୍ଯ୍ୟକାଳ ଗତ ଜାନୁଆରୀ ୩୧ ତାରିଖ ୨୦୨୪ ମସିହାରୁ ଶେଷ ହୋଇସାରିଛି । ନୂତନ ସଦସ୍ୟ ଚୟନ ହୋଇନଥିବାରୁ ବର୍ତ୍ତମାନ ଏହା କାର୍ଯ୍ୟକ୍ଷମ ହୋଇପାରୁନାହିଁ । ତେଣୁ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗର ତୁରନ୍ତ ପୁନର୍ଗଠନ ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।  

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ରାଜ୍ୟର ଜନସଂଖ୍ୟାର ଏକ ପ୍ରମୁଖ ଅଂଶ ଭାବେ ପ୍ରାୟ ୨୧୬ଟି ସାମାଜିକ ଏବଂ ଶିକ୍ଷାଗତ ପଛୁଆ ବର୍ଗ ସମୁଦାୟ ଓଡ଼ିଶାରେ ବସବାସ କରୁଛନ୍ତି । ଆୟୋଗ କାର୍ଯ୍ୟକ୍ଷମ ନଥିବାରୁ ଏହି ବର୍ଗର ଲୋକମାନେ ଶିକ୍ଷା, ନିଯୁକ୍ତି ଏବଂ କଲ୍ୟାଣକାରୀ ଯୋଜନାରୁ ସୁଫଳ ପାଇବାରେ ବହୁବିଧ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି । ନିଜର ସମସ୍ୟା ଉପସ୍ଥାପନ କରିବା ପାଇଁ ସେମାନେ ଏକ ସାମ୍ୱିଧାନିକ ମଞ୍ଚରୁ ବଞ୍ଚିତ ହେଉଛନ୍ତି। ସାମାଜିକ ନ୍ୟାୟ ପ୍ରଦାନ ଏବଂ ପଛୁଆ ବର୍ଗର ଲୋକଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି I

ନୂତନ ଜାତିକୁ ଏସ୍ଇବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା, ଅଭିଯୋଗର ସମାଧାନ କରିବା ଏବଂ ପଛୁଆ ବର୍ଗଙ୍କ ପାଇଁ ସରକାରଙ୍କୁ ନୀତିଗତ ପରାମର୍ଶ ଦେବାରେ ଓଏସ୍ସିବିସିଙ୍କ ମୁଖ୍ୟ ଭୂମିକା ରହିଛି । ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ ଅଧିନିୟମ, ୨୦୨୦ ଅନୁଯାୟୀ, ଏହି କମିଶନଙ୍କୁ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଉପରେ ସର୍ଭେ କରିବାର ଦାୟିତ୍ୱ ମଧ୍ୟ ଦିଆଯାଇଛି । ତେଣୁ ରାଜ୍ୟରେ ସାମାଜିକ ନ୍ୟାୟର ପ୍ରତିଷ୍ଠା ଏବଂ ପଛୁଆ ବର୍ଗଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ କମିଶନର ଶୀଘ୍ର ପୁନର୍ଗଠନ ଏକାନ୍ତ ଆବଶ୍ୟକ । ରାଜ୍ୟର ପଛୁଆ ବର୍ଗର ହିତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଥିରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଆୟୋଗର ପୁନର୍ଗଠନ କରିବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ।

Tags: