ବିଦ୍ୟୁତ ଆଘାତରେ ଚାଲିଗଲେ ୨ ଯାଆ
ଢେଙ୍କାନାଳ: ମଙ୍ଗଳବାର ଭୋର ସମୟରେ ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ଦୁଇ ଯାଆଙ୍କର ମୃତ୍ୟୁ । ବର୍ଷା ପବନରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍ ତାରରେ ସାନ ଯା' ଲାଗି ଯିବାରୁ ତାଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲେ ବଡ଼ ଯା' । ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗାଁର ଟାଣଳା ସାହିରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ବିଭୂତି ଦେହୁରୀଙ୍କ ପତ୍ନୀ ରଞ୍ଜୁ ଦେହୁରୀ (୪୫) ଏବଂ ଗୌର ଦେହୁରୀଙ୍କ ପତ୍ନୀ ମନୀଷା ଦେହୁରୀ (୪୦) ।
ସୂଚନା ଅନୁଯାୟୀ, ସୋମବାର ରାତିରେ ପ୍ରବଳ ପବନ ଓ ବର୍ଷା କାରଣରୁ ଘରକୁ ଯାଇଥିବା ବିଦ୍ୟୁତ୍ ତାର ଛିଣ୍ଡି ରୋଷେଇ ଘର ପାଖରେ ପଡ଼ିଥିଲା । ମଙ୍ଗଳବାର ଭୋର ସମୟରେ ସାନ ଯା' ମନୀଷା ରୋଷେଇ କରିବାକୁ ଯିବାବେଳେ ରୋଷେଇ ଘର ପାଖରେ ପଡିଥିବା ଛିଣ୍ଡା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ତାଙ୍କ ଚିତ୍କାର ଶୁଣି ବଡ଼ ଯା'ଆ ରଂଜୁ ଦେହୁରୀ ରକ୍ଷା କରିବାକୁ ଆସି ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ ।
ପରିବାର ଲୋକେ ଏବଂ ଗ୍ରାମବାସୀ ତୁରନ୍ତ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରେ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।




