ବଦଳିବେ ଓଡ଼ିଶା ହାଇକୋର୍ଟର ଦୁଇ ବିଚାରପତି
କଟକ : ଓଡ଼ିଶା ହାଇକୋର୍ଟର ଦୁଇଜଣ ବିଚାରପତିଙ୍କୁ ଅନ୍ୟ ରାଜ୍ୟର ହାଇକୋର୍ଟକୁ ବଦଳି କରିବା ପାଇଁ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ୍ କରାଯାଇଛି । ଏହି କ୍ରମରେ ଜଷ୍ଟିସ୍ ମାନସ ରଞ୍ଜନ ପଟ୍ଟନାୟକ ଏବଂ ଜଷ୍ଟିସ୍ କୃଷ୍ଣରାମ ମହାପାତ୍ରଙ୍କ ନାମ ରହିଛି।
କଲେଜିୟମର ସୁପାରିସ୍ ଅନୁଯାୟୀ, ଜଷ୍ଟିସ୍ ମାନସ ରଞ୍ଜନ ପଟ୍ଟନାୟକଙ୍କୁ ଗୁଜରାଟ ହାଇକୋର୍ଟକୁ ବଦଳି କରିବା ପାଇଁ ପ୍ରସ୍ତାବ ରହିଛି । ସେହିପରି ଜଷ୍ଟିସ୍ କୃଷ୍ଣରାମ ମହାପାତ୍ରଙ୍କୁ ଛତିଶଗଡ଼ ହାଇକୋର୍ଟକୁ ବଦଳି କରିବା ପାଇଁ ସୁପାରିସ୍ କରାଯାଇଛି ।
ସେପଟେ, ୪ ଜଣ ବିଚାରପତିଙ୍କୁ ବିଭିନ୍ନ ହାଇକୋର୍ଟ ର ମୁଖ୍ୟ ବିଚାରପତି ଭବରେ ପଦୋନ୍ନତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ ଦେଇଛନ୍ତି । ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ଯକ୍ଷତାରେ ଗତ ୬ ତାରିଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁ ବୈଠକରେ କଲେଜିୟମ ଏହି ନିଷ୍ପତ୍ତି ନେଇଛନ୍ତି । ଏମାନଙ୍କ ମଧ୍ୟରେ ଦିଲ୍ଲୀ ହାଇକୋର୍ଟରେ ଥିବା ଜଷ୍ଟିସ୍ ଭି. କାମେଶ୍ୱର ରାଓଙ୍କୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ,ବମ୍ବେ ହାଇକୋର୍ଟର ଜଷ୍ଟିସ୍ ରବୀନ୍ଦ୍ର ଭି. ଘୁଗେଙ୍କୁ କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତି, ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ୍ ମହେଶ ଚନ୍ଦ୍ର ତ୍ରିପାଠୀଙ୍କୁ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ଜଷ୍ଟିସ୍ ଅଶ୍ବିନୀ କୁମାର ମିଶ୍ରଙ୍କୁ ସେହି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସୁପାରିସ୍ କରାଯାଇଛି ।




