ଅଢେଇ ବର୍ଷ ତଳ ହତ୍ୟାକାଣ୍ଡର ପର୍ଦ୍ଦା ଫାଶ, ୩ ଗିରଫ

ଅଢେଇ ବର୍ଷ ତଳ ହତ୍ୟାକାଣ୍ଡର ପର୍ଦ୍ଦା ଫାଶ, ୩ ଗିରଫ
Samaya Live News Picture
Published On

ଉଦଳା: ଅଢେଇ ବର୍ଷ ତଳ ହତ୍ୟାକାଣ୍ଡର ଫିଟିଲା ଗୁମର । ଡିଏନଏ ଟେଷ୍ଟ ପରେ ଜଘନ୍ୟ କାଣ୍ଡର ପର୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ । ପୂର୍ବ ଶତ୍ରୁତାକୁ ନେଇ ହୋଇଥିଲା ନୃଶଂସ ହତ୍ୟା।  ଡିଏନଏ ଟେଷ୍ଟ ରିପୋର୍ଟ ଆଧାରରେ ୩ ଜଣଙ୍କୁ ଗିରଫ କରାଯାଇଛି । ଅଜଣା ମୃତଦେହକୁ ଧରି ଅଢେଇ ବର୍ଷ ପରିଚୟ ପାଇଁ ଘାଣ୍ଟି ହୋଇ ଶେଷରେ ହତ୍ୟାକାରୀଙ୍କୁ ଗିରଫ କଲା ପୋଲିସ । ଗୁଣି ଗାରେଡି ସନ୍ଦେହରୁ ଅତି ବିଭତ୍ସ ଭାବେ ହତ୍ୟା କରାଯିବା ସହିତସବୁ ପ୍ରମାଣ ନଷ୍ଟ କରାଯାଇଥିଲା ।

ସୂଚନାନୁସାରେ,  ୨୦୨୩ ନଭେମ୍ବର ୮ରେ ଉଦଳା ଥାନା ବହୁବନ୍ଧ ସୁରେଇସାହି କାଜୁ ଜଙ୍ଗଲର ଏକ ପରିତ୍ୟକ୍ତ କୂଅ ଭିତରୁ ପଥର ବନ୍ଧା ଯାଇ ପଡ଼ିଥିବା ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା । ହେଲେ ମୃତକଙ୍କ ପରିଚୟ ପୋଲିସ ପାଇ ନ ଥିଲା । କେବଳ ଅଲଗା ଅଲଗା ଚପଲ ଘଟଣାସ୍ଥଳରୁ ପୋଲିସ ପାଇଥିଲା । ମୃତଦେହର ପରିଚୟ ନ ପାଇଥିବା ବେଳେ ଏହା ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ଜଣାପଡିଥିଲା। ଘଟଣାର ୩ ମାସ ପରେ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା ଘଟଣା । କ୍ରାଇମବ୍ରାଞ୍ଚ ମଧ୍ୟ ସବୁ ଦିଗରୁ ତଦନ୍ତ କରିଥିଲା । ଅଚାନକ ଜୁନ ୧୭ ତାରିଖରେ ନିଖୋଜ ବାପାକୁ ଖୋଜି ଖୋଜି ଥାନାରେ ପହଞ୍ଚିଥିଲେ ଶୁଖୁଆସାହି ଗ୍ରାମର ବିଶ୍ଵନାଥ ସିଂ। ତେବେ ସେତେବେଳେ ସେହି ଅଜଣା ମୃତଦେହ ପାଖରୁ ମିଳିଥିବା ଚପଲ ଦେଖି ତାହା ତାଙ୍କ ବାପା ଯୁବରାଜ ସିଂଙ୍କ ଚପଲ ବୋଲି ଦାବି କରିଥିଲେ । ପରେ କ୍ରାଇମବ୍ରାଞ୍ଚ ତାଙ୍କ ଡିଏନଏ ନେଇ ପରୀକ୍ଷା କରାଇବା ପରେ ଶେଷରେ ସବୁ ରହସ୍ୟ ଖୋଲିଥିଲା । ଅଢେଇ ବର୍ଷ ତଳେ ବଣସାହି ଗ୍ରାମର ସାନଗୌର ମୋହନ ସିଂ, ନରହରି ସିଂ ଏବଂ ଜଣେ ନାବାଳକ ଯୁବରାଜ ସିଂଙ୍କୁ ବଡ଼ବିଲା ଗ୍ରାମ ହାଟକୁ ଡାକି ସେଠାରେ ସମସ୍ତେ ମିଶି ଏକ ରଶି ସାହାଯ୍ୟ ତାଙ୍କ ବେକ ଚିପି ହତ୍ୟା କରିଥିଲେ । ହତ୍ୟା କରିବା ପରେ ତାଙ୍କୁ ନିକଟସ୍ଥ ଜଙ୍ଗଲରେ ରଖିଥିଲେ ଏବଂ ମଧ୍ୟାହ୍ନରେ ଏକ ଗାଡ଼ିରେ ଲଦି ୫ଟି ପଥର ବାନ୍ଧି କୂଅରେ ପକାଇ ଦେଇଥିଲେ । ଗୁଣି ଗାରେଡି ପାଇଁ  ଏହି ହତ୍ୟାକାଣ୍ଡ ଘଟିଥିଲା । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଅଭିଯୁକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Tags: