ସକାଳୁ ସକାଳୁ ବର୍ଷାରେ ଭିଜୁଛି ଟ୍ୱିନ ସିଟି, ଆଜି ପାଇଁ ୭ଜିଲ୍ଲାଙ୍କୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର : ଅସହ୍ୟ ଗାତ୍ରାମ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଆଜି ଭୋର ବେଳରୁ ଟ୍ୱିନ ସିଟିରେ ତୁହାକୁ ତୁହା ଆରମ୍ଭ ହୋଇଯାଇଛି ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ପ୍ରଭାବରେ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ଣ୍ଣ ମାତ୍ରାରେ ସକ୍ରିୟ ହୋଇଉଠିଛି । ଘଡ଼ଘଡ଼ି ଓ ପ୍ରବଳ ବର୍ଷା ନେଇ ଆଜି ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ରହିଥିବା ବେଳେ ଅନ୍ୟ ୨୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୪ ଦିନ ପାଇଁ ସତର୍କ ସୂଚନା ଜାରି ହୋଇଛି । ସେହିପରି ଜୁଲାଇ ୨ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ଆଂଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।
ଗତକାଲି ରାତିରୁ ହିଁ ଭୁବନେଶ୍ୱରରେ ଆକାଶ ମେଘାଚ୍ଛନ୍ନ ରହିବା ସହ ପ୍ରବଳ ଆଦ୍ରତା ଅନୁଭୂତ ହେଉଥିଲା । ଆଜି ସକାଳୁ ପ୍ରବଳ ବର୍ଷା ଯୋଗୁଁ ସହରର ବିଭିନ୍ନ ମୁଖ୍ୟ ରାସ୍ତାରେ ପାଣି ଜମି ରହିଛି । ଫଳରେ ଅଫିସ୍ ଓ ସ୍କୁଲ ଯାଉଥିବା ଲୋକମାନେ ଟ୍ରାଫିକ୍ ଜାମର ସମ୍ମୁଖୀନ ହୋଇଛନ୍ତି । ପାଣିପାଗ ବିଭାଗ ପକ୍ଷରୁ ବଜ୍ରପାତର ଆଶଙ୍କା ଥିବାରୁ ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି । କଟକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବ୍ୟାପକ ବର୍ଷା ରେକର୍ଡ କରାଯାଇଛି ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଯୋଗୁଁ ପ୍ରଚୁର ପରିମାଣର ଜଳୀୟବାଷ୍ପ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି । ଏହା ପ୍ରଭାବରେ ଜୁଲାଇ ପ୍ରଥମ ସପ୍ତାହ ଯାଏଁ ବର୍ଷା ଲାଗିରହିବ । ଅନେକ ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ଅଛି । ୧ ରୁ ୪ ଜୁଲାଇ ଯାଏଁ କେତେକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ । ପ୍ରବଳ ବର୍ଷା ସମୟରେ ଘରୁ ବାହାରକୁ ନବାହାରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । OSDMA ଏବଂ ଜିଲ୍ଲା ପ୍ରଶାସନ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।




