ହ୍ୟୁମାନ ସାଗରଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି
ପୁରୀ: ଓଡ଼ିଶାର ସୁପ୍ରସିଦ୍ଧ ତଥା ଲୋକପ୍ରିୟ ସ୍ୱର୍ଗତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି । ଆଜି ହ୍ୟୁମାନ ସାଗରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ପୁରୀ ବେଳାଭୂମିରେ ଏକ ସ୍ୱତନ୍ତ୍ର ବାଲୁକା ଭାସ୍କର୍ଯ୍ୟ ନିର୍ମାଣ କରି ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛି ସୁଦର୍ଶନ ସ୍ୟାଣ୍ଡ ଇନଷ୍ଟିଚ୍ୟୁଟ୍ । ଏହି ସ୍ମୃତିମୟ ବାଲୁକାକଳା ନିକଟରେ ସ୍ୱର୍ଗତ ହ୍ୟୁମାନ ସାଗରଙ୍କ କନ୍ୟା ନ୍ୟୁ ଏଞ୍ଜେଲ ସାଗର ମଧ୍ୟ ତାଙ୍କ ପିତାଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏଥିରେ ହ୍ୟୁମାନ ସାଗରଙ୍କ ପ୍ରତିକୃତି ସହିତ “ଅମର ସ୍ୱର ହ୍ୟୁମାନ ସାଗର – ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି” ବାର୍ତ୍ତା ସ୍ଥାନ ପାଇଛି । ପ୍ରାୟ ୧୦ ଫୁଟ ଲମ୍ବ ଓ ୫ ଫୁଟ ଉଚ୍ଚତା ବିଶିଷ୍ଟ ଏହି ବାଲୁକାକଳା ନିର୍ମାଣରେ ପ୍ରାୟ ୪ ଟନ୍ ବାଲି ବ୍ୟବହାର କରାଯାଇଛି । ସୁଦର୍ଶନ ସ୍ୟାଣ୍ଡ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ନିର୍ମିତ ଏହି ବାଲୁକା ଭାସ୍କର୍ଯ୍ୟ କେବଳ ଜଣେ ପ୍ରତିଭାବାନ କଣ୍ଠଶିଳ୍ପୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ନୁହେଁ, ବରଂ ତାଙ୍କ ସଙ୍ଗୀତକୁ ଭଲ ପାଉଥିବା ଅସଂଖ୍ୟ ପ୍ରଶଂସକଙ୍କ ଭଲପାଇବା ଓ ଭାବନାର ଏକ ସୁନ୍ଦର ପ୍ରତିଫଳନ ।




