ବଂଶଧାରା ନଦୀ ଜଳ ବଣ୍ଟନ ମାମଲାରେ ଓଡ଼ିଶାକୁ ଟ୍ରିବ୍ୟୁନାଲଙ୍କ ଝଟକା
ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ଅନୁମତି
ଭୁବନେଶ୍ଵର : ବଂଶଧାରା ନଦୀ ଜଳ ବଣ୍ଟନ ମାମଲାରେ ଓଡ଼ିଶାକୁ ଝଟ୍କା । ବଂଶଧାରା ନଦୀ ଜଳ ବଣ୍ଟନକୁ ନେଇ ଦୀର୍ଘ ବର୍ଷ ଧରି ଚାଲିଥିବା ବିବାଦ ରେ ଟ୍ରିବ୍ୟୁନାଲ୍ଙ୍କ ଚୂଡ଼ାନ୍ତ ରାୟ ଆନ୍ଧ୍ରପ୍ରଦେଶ ପାଇଁ ଲାଭଦାୟକ ହୋଇଛି । ଆନ୍ଧ୍ରର ଦାବିକୁ ସ୍ଵୀକାର କରି କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଦେଇଛି ଗେଜେଟ ନୋଟିଫିକେଶନ। ଫଳରେ ଆନ୍ଧ୍ରପ୍ରଦେଶର ବହୁ ପ୍ରତୀକ୍ଷିତ ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ସମସ୍ତ ବାଧା ଦୂର ହୋଇଛି । ଏପରିକି ଡାହାଣ ଡାଇକ୍ରେ ୮୦୦ କ୍ୟୁସେକ୍ କ୍ଷମତା ବିଶିଷ୍ଟ ସ୍ଲୁଇସ୍ ଗେଟ୍ ନିର୍ମାଣ କରିବାକୁ ମଧ୍ୟ ଅନୁମତି ଦିଆଯାଇଛି । ଟ୍ରିବ୍ୟୁନାଲଙ୍କ ଏହି ରାୟ ଗଜପତି ,ରାୟଗଡ଼ା ଜିଲ୍ଲା ଚାଷୀଙ୍କ ପାଇଁ ସମସ୍ୟା ବଢାଇଛି ।
ଟ୍ରିବ୍ୟୁନାଲ୍ ରାୟ ଅନୁଯାୟୀ, ଗୋଟ୍ଟା ବ୍ୟାରେଜରେ ଉପଲବ୍ଧ ଜଳର ପରିମାଣ ୧୧୫ ଟିଏମ୍ସି ସ୍ଥିର ହୋଇଛି । ଏଥିରୁ ଅଧା ଆନ୍ଧ୍ରପ୍ରଦେଶକୁ ଯିବ ବୋଲି ନିର୍ଦ୍ଦେଶର ଉଲ୍ଲେଖ ରହିଛି । ୧୯୬୨ ମସିହା ୩୦ ସେପ୍ଟେମ୍ବରରେ ଏନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ହୋଇଥିବା ବୈଠକରେ ଚୂଡାନ୍ତ ହୋଇଥିବା କୁହାଯାଇଛି । ବଂଶଧାରା ନଦୀ ଜଳ ପରିଚାଳନାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଏହି ବିବାଦ ୨୦୦୬ରେ ଆରମ୍ଭ ହୋଇଥିଲା । ଆନ୍ଧ୍ର ନେରେଡ଼ି ବ୍ୟାରେଜ୍ ନିର୍ମାଣ କରିବାକୁ ଚେଷ୍ଟା କରିବାରୁ ଓଡ଼ିଶା ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା । ୨୦୧୦ରେ ବଂଶଧାରା ଜଳ ଟ୍ରିବ୍ୟୁନାଲ୍ ଗଠନ ହୋଇଥିଲା। ଟ୍ରିବ୍ୟୁନାଲଙ୍କ ରାୟ ଆଧାରରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି।



