ଇଭି ଚାର୍ଜିଂ ଷ୍ଟେସନ ପାଇଁ ପରିବହନ ବିଭାଗ ଆଣିଲା ଏସଓପି
ଭୁବନେଶ୍ୱର : ରାଜ୍ୟର ସମସ୍ତ ପୌରାଞ୍ଚଳରେ ହେବ EV ଚାର୍ଜିଂ ଷ୍ଟେସନ । ଏଥି ପାଇଁ ପରିବହନ ବିଭାଗ ଆଣିଲା ଏସଓପି । ସହରାଞ୍ଚଳରେ ଜମି ଚିହ୍ନଟ କରିବ ପୌର ପ୍ରଶାସନ। ସରକାରୀ ବିଲଡିଂ, ପାର୍କିଙ୍ଗ ହବ୍ ଏବଂ ବଜାରରେ ଜାଗା ଚିହ୍ନଟକୁ ମିଳିବ ପ୍ରାଥମିକତା। ସ୍ଥାନ ଚୟନ କରିବା ସମୟରେ, ସହର ଗୁଡ଼ିକ ପର୍ଯ୍ୟାପ୍ତ ଜମି/ସ୍ଥାନର ଉପଲବ୍ଧତା, ଜନସାଧାରଣଙ୍କ ପାଇଁ ସୁଗମତା, ବୈଦ୍ୟୁତିକ ସଂଯୋଗୀକରଣର ପ୍ରବେଶ ଏବଂ ସୁରକ୍ଷା ବ୍ୟବସ୍ଥା, ପାର୍କିଂ ସୁବିଧା ଏବଂ ଭବିଷ୍ୟତର ସମ୍ପ୍ରସାରଣ ସମ୍ଭାବନାକୁ ନିଶ୍ଚିତ କରାଯିବ ।
ULBଗୁଡ଼ିକ EV ଚାର୍ଜିଂ ଷ୍ଟେସନ ଗୁଡ଼ିକର କାର୍ଯ୍ୟକ୍ଷମତା ପାଇଁ ଆବଶ୍ୟକୀୟ ପାର୍କିଂ ସେଡ୍, ଆଲୋକ ବ୍ୟବସ୍ଥା, ପାନୀୟ ଜଳ ସୁବିଧା, ପରିମଳ ସୁବିଧା ଏବଂ ଅନ୍ୟାନ୍ୟ ଆନୁଷଙ୍ଗୀକ ଭିତ୍ତିଭୂମି ଭଳି ସ୍ଥାନ ବିକାଶ କାର୍ଯ୍ୟକଳାପ ଗ୍ରହଣ କରିବେ । EV ଚାର୍ଜିଂ ଷ୍ଟେସନଗୁଡ଼ିକର ସ୍ଥାପନ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ମନୋନୀତ ଏଜେନ୍ସି ଚାର୍ଜିଂ ଭିତ୍ତିଭୂମି ସୁବିଧା ସ୍ଥାପନ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ କରିବ ।
ଜୁନ ମାସରୁ ସମସ୍ତ ସରକାରୀ ଗାଡି ବୈଦ୍ୟୁତିକ ଯାନ ବା ଇଭି କିଣିବା ପାଇଁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି । ସେହିପରି ଏଣିକି ସମସ୍ତ ସରକାରୀ ଅଫିସରେ ଇଭି ଗାଡ଼ି ଭଡ଼ାରେ ବ୍ୟବହାର ବାଧ୍ୟତାମୂଳକ ହୋଇଛି । ବ୍ଲକ ଓ ତହସିଲ ଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ବ୍ୟବହାର ପାଇଁ ମାସିକ ଗାଡ଼ି ଭଡ଼ା ଧାର୍ଯ୍ୟ ହୋଇଛି । ଅର୍ଥ ବିଭାଗ ପକ୍ଷରୁ ଜାରି ଏହି ନିର୍ଦ୍ଦେଶନାମା ପିଛିଲା ଭାବେ ଜୁନ ୧ରୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ।



