ଭୁବନେଶ୍ୱର ବାଲିଯାତ୍ରା ପାଇଁ ଟ୍ରାଫିକ କଟକଣା ଜାରି

ଭୁବନେଶ୍ୱର ବାଲିଯାତ୍ରା ପାଇଁ ଟ୍ରାଫିକ କଟକଣା ଜାରି
Samaya Live News Picture
Published On
ଭୁବନେଶ୍ୱର : ରାଜଧାନୀରେ ବାଲିଯାତ୍ରା ! ମଞ୍ଚେଶ୍ୱରସ୍ଥିତ କୁଆଖାଇ ଏବଂ ବାଙ୍କୁଆଳ ନଦୀପଠା ରେ ନଭେମ୍ବର ୨୪ ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବାଲିଯାତ୍ରା ମହୋତ୍ସବ । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ସେହି ଅଞ୍ଚଳରେ ପ୍ରତିଦିନ ଅପରାହ୍ନ ୨ଟାରୁ ଭିଡ଼ କମିବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।
 
ମଞ୍ଚେଶ୍ୱର ଗଡ଼ାରୁ ବାଲିଯାତ୍ରା ପଡ଼ିଆ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକୁ କେବଳ ନିର୍ଦ୍ଧାରିତ ପାର୍କିଂ ସ୍ଥାନ ପର୍ଯ୍ୟନ୍ତ ଯିବାକୁ ଅନୁମତି ମିଳିବ; ପଡ଼ିଆ ଭିତରକୁ ଯାନବାହନ ପ୍ରବେଶ ନିଷେଧ କରାଯାଇଛି ।
 
ସେହିପରି  ବରିମୁଣ୍ଡା ଗ୍ରାମ ପଟୁ ଆସୁଥିବା ଯାନବାହନଗୁଡ଼ିକୁ ଜରିପାଟଣା ଗ୍ରାମ ନିକଟରେ ଅଟକାଯିବ ଏବଂ ବାଲିଯାତ୍ରା ପଡ଼ିଆ ଓ ଜରିପାଟଣା ଗ୍ରାମ ପଡ଼ିଆ ନିକଟସ୍ଥ ପାର୍କିଂ ସ୍ଥାନକୁ ପଠାଯିବ।ଏହି ସ୍ଥାନରେ ସର୍ବସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲିସ୍ ପକ୍ଷରୁ କଟକଣା ଲାଗୁ କରାଯିବା ସହ ଗାଡ଼ି ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି । 
 
ନନ୍ଦନକାନନ ପଟୁ ଆସୁଥିବା ପର୍ଯ୍ୟଟକଙ୍କ ଗାଡ଼ିଗୁଡ଼ିକୁ ଇଞ୍ଜଣା କେନାଲ ବ୍ରିଜ୍ ନିକଟରୁ ରସୁଲଗଡ଼ ଏବଂ ପଳାଶୁଣି ଆଡ଼କୁ ଡାଇଭର୍ଟ କରାଯିବ।
 
ସାଇ ମନ୍ଦିର ଛକ ପଟୁ ଆସୁଥିବା ଗାଡ଼ିଗୁଡ଼ିକୁ ନିକଟସ୍ଥ ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ରଖାଯିବ। ରଙ୍ଗବଜାର ପଟୁ ଆସୁଥିବା ଯାନବାହନଗୁଡ଼ିକୁ ବ୍ରିଜ୍ ଶେଷ ମୁଣ୍ଡରେ ଥିବା ବ୍ଲକିଂ ପଏଣ୍ଟ ଠାରୁ ଆଗକୁ ଯିବାକୁ ଅନୁମତି ମିଳିବ ନାହିଁ।
 
ପଦଚାରୀଙ୍କ ସୁରକ୍ଷା ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ମଞ୍ଚେଶ୍ୱର ଗଡ଼ାରୁ ନନ୍ଦନକାନନ ପର୍ଯ୍ୟନ୍ତ କୁଆଖାଇ ନଦୀବନ୍ଧ ରାସ୍ତାରେ ଭାରୀ ଓ ବାଣିଜ୍ୟିକ ଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି
 
ଓଡ଼ିଶା ସହରୀ ପୋଲିସ୍ ଆଇନ, ୨୦୦୩ର ଧାରା ୨୮ ଏବଂ ଭୁବନେଶ୍ୱର-କଟକ ପୋଲିସ୍ କମିଶନରେଟ୍ (ଟ୍ରାଫିକ୍ ଓ ଜନଶୃଙ୍ଖଳା) ନିୟମାବଳୀ, ୨୦୦୮ର ନିୟମ ୩୬ ଅନୁଯାୟୀ ଭୁବନେଶ୍ୱର-କଟକ ପୋଲିସ୍ କମିଶନର ସୁରେଶ ଦେବ ଦତ୍ତ ସିଂହ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ।
 
ତେବେ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ଯାନବାହନଗୁଡ଼ିକ ପାଇଁ ଏହି ଟ୍ରାଫିକ୍ କଟକଣା ଲାଗୁ ହେବ ନାହିଁ ।
Tags: