ବାହୁଡ଼ା ଯାତ୍ରା ଓ ସୁନାବେଶକୁ ନେଇ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ସୂଚନା ଜାରି

ବାହୁଡ଼ା ଯାତ୍ରା ଓ ସୁନାବେଶକୁ ନେଇ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ସୂଚନା ଜାରି
Samaya Live News Picture
Published On

ପୁରୀ :  ଆଜି ପବିତ୍ର ବାହୁଡ଼ା ଯାତ୍ରା । ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାବିଗ୍ରହ । ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦକ୍ଷିଣ ମୋଡ଼ ହୋଇ ଅପେକ୍ଷା କରିଛି ତିନି ରଥ । ଦୀର୍ଘ ଅପେକ୍ଷା ପରେ ପୁଣିଥରେ ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ଏହି ପବିତ୍ର ମୁହୂର୍ତ୍ତକୁ ସାକ୍ଷୀ ରଖିବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।

ଶ୍ରୀବିଗ୍ରହ ଆଡପମଣ୍ଡପରୁ ଧାଡି ପହଣ୍ଡିରେ ଆସି ରଥରେ ବିଜେ କରିବେ । ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବା ବେଳେ ମାଉସୀ ମା’ ହାତରୁ ପୋଡ଼ପିଠା ଖାଇବେ ବିଶ୍ବ ନିୟନ୍ତା । ଏଥିପାଇଁ ମାଉସୀ ମା’ଙ୍କ ମନ୍ଦିରରେ ପୋଡ଼ପିଠା ତିଆରି ଶେଷ ହୋଇଛି ।

ଆଜି ଭୋର ୪ଟାରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ ୪:୧୫, ତଡପଲାଗି ୪:୩୦, ରୋଷହୋମ ୪:୩୦, ଅବକାଶ 5ଟା, ସୂର୍ଯ୍ୟପୂଜା ୫:୧୫, ଦ୍ବାରପାଳ ପୂଜା ୫:୩୦ ବେଶ ଶେଷ, ଗୋପାଳବଲ୍ଲଭ ଓ ସକାଳ ଧୂପ ୫.୪୫ରୁ ୬.୪୫ରେ ଶେଷ ହୋଇଛି । ସେହିପରି ସେନାପଟା ଲାଗି ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ପୂର୍ବାହ୍ନ ୧୧:୩୦ ପର୍ଯ୍ୟନ୍ତ ଜାରି ରହିବ । ମଙ୍ଗଳ ଅପର୍ଣ ୧୧: ୪୫, ବାହୁଡା ପହଣ୍ଡି ମଧ୍ୟାହ୍ନ ୧୨ଟାରୁ ୨ଟା୩୦, ବେଶ ଶେଷ ୧ଟାରୁ ୨ଟା୩୦, ଛେରା ପହଁରା ୨:୩୦ରୁ ୩:୩୦, ଚାରମାଳ ଫିଟା, ଘୋଡା ଓ ସାରଥି ଲାଗି ୩ଟାରୁ ୪ଟା, ଅପରାହ୍ନ ୪ଟାରୁ ଆରମ୍ଭ ହେବ ରଥଟଣା ।

ସେପଟେ, ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ରଥଯାତ୍ରା ପରିଚାଳନା ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ,ସୁନାବେଶର ସଫଳ ଆୟୋଜନ ପ୍ରଶାସନ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇଥାଏ । ସେ କହିଛନ୍ତି, ପ୍ରତିବର୍ଷ ସୁନାବେଶ ଅବସରରେ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପୁରୀରେ ସମାଗମ କରିଥାନ୍ତି। ମାତ୍ର ଅଢ଼େଇ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ପୁରୀ ସହରରେ ଏତେ ବଡ଼ ଜନସମାଗମକୁ ସୁରକ୍ଷିତ ଭାବେ ପରିଚାଳନା କରିବା ଏକ ବଡ଼ ଆହ୍ୱାନ ବୋଲି ସେ କହିଛନ୍ତି।

ବିଶେଷକରି ଟ୍ରାଫିକ୍ ପରିଚାଳନା ଏହି ସମୟରେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ପାର୍କିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ପୂର୍ବ ବର୍ଷଗୁଡ଼ିକରେ ନିର୍ଦ୍ଧାରିତ ପାର୍କିଂ ସ୍ଥାନ ସମୟ ପୂର୍ବରୁ ପୂର୍ଣ୍ଣ ହୋଇଯାଇଥିବା ନଜିର ରହିଛି । ଏହାକୁ ଦୃଷ୍ଟିରେ ରଖି ପୁରୀ ଆସିବା ପୂର୍ବରୁ ଶ୍ରଦ୍ଧାଳୁମାନେ ଓଡ଼ିଶା ପୋଲିସ ଓ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ଟ୍ରାଫିକ୍ ଓ ପାର୍କିଂ ସମ୍ବନ୍ଧୀୟ ସମସ୍ତ ସୂଚନା ଅନୁଧ୍ୟାନ କରି ଯାତ୍ରା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଭିନ୍ନ ଗଣମାଧ୍ୟମ, ସୋସିଆଲ୍ ମିଡିଆ ଓ ସରକାରୀ ସୂଚନା ମାଧ୍ୟମରେ ନିୟମିତ ଭାବେ ଟ୍ରାଫିକ୍, ପାର୍କିଂ ଓ ସୁରକ୍ଷା ସମ୍ପର୍କିତ ସୂଚନା ପ୍ରସାରଣ କରାଯାଉଛି  । 

Tags: