ଆଜି ପହିଲି ରଜ, ଉତ୍ସବ ମୁଖର ସାରା ରାଜ୍ୟ

ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଆଜି ପହିଲି ରଜ, ଉତ୍ସବ ମୁଖର ସାରା ରାଜ୍ୟ
Samaya Live News Picture
Published On

ଭୁବନେଶ୍ୱର : ଆଜି ଓଡ଼ିଶାର ଗଣପର୍ବ ‘ରଜ’। ବଡ଼ ଧୂମଧାମରେ ଆରମ୍ଭ ହୋଇଯାଇଛି ରଜ ମଉଜ। ପ୍ରଥମ ଦିନ ଅର୍ଥାତ୍ ‘ପହିଲି ରଜ’ରେ ସାରା ଓଡ଼ିଶା ଉତ୍ସବମୁଖର । ଏଥର ଜୁନ ୧୫ରେ ରଜ ସଂକ୍ରାନ୍ତି ପଡୁଥିବାବେଳେ ୧୪ ତାରିଖ ହେଉଛି ପହିଲି ରଜ ।  ଏହି କୃଷି ଭିତ୍ତିକ ଗଣପର୍ବକୁ ସାଧାରଣତଃ ୩ ଦିନ ପାଳନ କରାଯାଉଥିବାବେଳେ ସ୍ଥଳ ବିଶେଷରେ ଏହା ୫ଦିନ ମଧ୍ୟ ପାଳନ ହୋଇଥାଏ । ରଜ ପର୍ବ ହେଉଛି ଧରଣୀ ମା’ଙ୍କ ଉର୍ବରତା ଏବଂ ନବଯୌବନର ପ୍ରତୀକ। ଏହି ତିନି ଦିନ ମାଟି ମା’ ରଜସ୍ୱଳା ହୋଇ ବିଶ୍ରାମ ନିଅନ୍ତି ବୋଲି ବିଶ୍ବାସ ରହିଛି। ତେଣୁ ଆଗାମୀ ଚାଷ ଅନୁକୂଳ ପାଇଁ ମାଟିକୁ ପ୍ରସ୍ତୁତ କରିବା ସହ ପ୍ରକୃତିକୁ ସମ୍ମାନ ଜଣାଇ ଏହି ଦିନମାନଙ୍କରେ ହଳ କରିବା, କୋଡ଼ି ହାଣିବା ବା ମାଟି ଖୋଳିବାକୁ ସମ୍ପୂର୍ଣ୍ଣ ବାରଣ ଥାଏ। ପହିଲି ରଜର ପୂର୍ବ ଦିନ ହେଉଛି ଝିଅମାନଙ୍କ ସଜବାଜଏବଂ ପହିଲି ରଜରେ , ରଜ ଦୋଳି ଓ ଗୀତ, ପିଠାପଣାର ମହକ, ରଜ ପାନର ଚମକ।

ଏହି ଅବସରରେ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଟ୍ୱିଟ୍  କରି ଓଡ଼ିଶାର ସମୃଦ୍ଧି ଓ ସୁଖଶାନ୍ତି କାମନା କରିଛନ୍ତି।

ରଜ ପର୍ବର ଗୁରୁତ୍ୱ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପର୍ବ ସହ ଆମ କୃଷି ସଂସ୍କୃତିର ନିବିଡ଼ ସମ୍ପର୍କ ରହିଛି। ରଜ ପର୍ବର ସମାପ୍ତି ପରେ ହିଁ ଓଡ଼ିଶାରେ ବିଧିବଦ୍ଧ ଭାବେ ଚାଷ କାର୍ଯ୍ୟ ଅନୁକୂଳ ହୋଇଥାଏ। ବସୁଧା ମାତାଙ୍କୁ ସମ୍ମାନ ଜଣାଇବାର ଏହି ଅନନ୍ୟ ପରମ୍ପରା ଆମ ସଂସ୍କୃତିର ମହାନତାକୁ ଦର୍ଶାଏ। ଏହି ଅବସରରେ ରାଜ୍ୟର ସମସ୍ତ ଭାଇଭଉଣୀ ଓ ବିଶେଷ କରି କୃଷକ ଭାଇମାନଙ୍କର ଉନ୍ନତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ରଜରେ କୁମାରୀମାନେ ନୂଆ ପୋଷାକ ପିନ୍ଧି ପାଦରେ ଅଳତା ଲଗାଇ ପିଠାପଣା ସହ ରଜପାନର ମଜା ନେଇଥାନ୍ତି । ଗାଁରୁ ସହର ପ୍ରାୟ ସବୁଠି ପାରମ୍ପରିକ ରଜ ଦୋଳି ବନ୍ଧାଯାଇଥାଏ। “ବନସ୍ତେ ଡାକିଲା ଗଜ” ଭଳି ସୁମଧୁର ଗୀତ ଗାଇ ଝିଅମାନେ ଆନନ୍ଦରେ ଦୋଳି ଖେଳନ୍ତି । ରାଜଧାନୀ ଭୁବନେଶ୍ୱର ସମେତ ପୁରୀ, କଟକ ଏବଂ ଅନ୍ୟାନ୍ୟ ଜିଲ୍ଲାରେ ବ୍ୟାପକ ସାଂସ୍କୃତିକ ଉତ୍ସବର ଆୟୋଜନ କରାଯାଇଛି । ବିଶେଷ କରି ଭୁବନେଶ୍ୱର ଜନତା ମୈଦାନଠାରେ ଚାଲିଥିବା ‘ଆନ୍ତର୍ଜାତୀୟ ରଜ ଉତ୍ସବ’ରେ ଲୋକଙ୍କର ପ୍ରବଳ ଭିଡ଼ ଜମୁଛି । ଆସନ୍ତାକାଲି ରଜର ମୁଖ୍ୟ ଦିନ ‘ରଜ ସଂକ୍ରାନ୍ତି’ ପାଳନ କରାଯିବ। ତୃତୀୟ ଦିନରେ ‘ବାସୀ ରଜ’ ଏବଂ ଚତୁର୍ଥ ଦିନରେ ‘ବସୁମତୀ ସ୍ନାନ’ ସହ ସୁନ୍ଦର ପର୍ବର ସମାପ୍ତି ଘଟିବ । 

ପହିଲି ରଜ ଅବସରରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଝିଅମାନେ ନୂଆ ପୋଷାକ ପିନ୍ଧି ସଜବାଜ ହୋଇ ରଜ ଦୋଳିର ମଜା ନେଉଛନ୍ତି। ଏହା ସହ ରଜ ପାନର ଜମୁଛି ଆସର। ତିନି ଦିନ ଧରି ଚାଲିବାକୁ ଥିବା ଏହି ଗଣପର୍ବ ପାଇଁ ସାରା ଓଡ଼ିଶା ଏବେ ପ୍ରଫୁଲ୍ଲିତ। 

 

Tags: